ଯୋଗଦେବେନି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର  : ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେଉ ନଥିବା ନେଇ ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ବିରୋଧୀ କଂଗ୍ରେସ ଓ ବିଜେପି ନିତି ଆୟୋଗ ବୈଠକରେ ରାଜ୍ୟର ପ୍ରତିନିଧିତ୍ୱ ନ କରିବା ସୁସ୍ଥ ପରମ୍ପରା ନୁହେଁ ବୋଲି କହିଛନ୍ତି।
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବା ନେଇ କିଛି ବାଧ୍ୟବାଧକତା ନାହିଁ। ସଂଘୀୟ ବ୍ୟବସ୍ଥାରେ ଥିବା ବିଧି ଅନୁସାରେ ନିତି ଆୟୋଗ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଦରକାର। ସଂଘୀୟ ବ୍ୟବସ୍ଥା ସର୍ତ୍ତାବଳି ଉଲ୍ଲଙ୍ଘନ କରାଯିବା ଉଚିତ ନୁହେଁ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କ ତିକ୍ତ ହେବା ଅନୁଚିତ। କୌଣସି କାର୍ଯ୍ୟକ୍ରମ ବା ଯୋଜନା ଆରମ୍ଭ କରିବା ପୂର୍ବରୁ ଉଭୟ ନିତି ଆୟୋଗ ଏବଂ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। ବୈଠକରେ ରାଜ୍ୟ ପାଇଁ ଥିବା ପ୍ରସଙ୍ଗଗୁଡ଼ିକର ଉତ୍ତର ଲିଖିତ ଭାବେ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଅସମ୍ମତି ଥାଇପାରେ ତଥାପି ନିତି ଆୟୋଗରେ ରାଜ୍ୟ ଯୋଗଦେବା ଏକ ପରମ୍ପରା। ଏଠି ପରମ୍ପରାକୁ ଭଙ୍ଗାଯାଉଛି। ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକତରଫା ସୁଆଙ୍ଗ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ଓ ଆବଶ୍ୟକତା ପ୍ରସଙ୍ଗରେ ନିତି ଆୟୋଗରେ ଆଲୋଚନା ହୋଇଥାଏ। ବୈଠକକୁ ହାତଛଡ଼ା କରିବା ଉଚିତ ନୁହଁ। ଗଣତନ୍ତ୍ରରେ ଏଭଳି ପରମ୍ପରା ଶୁଭ ସୂଚନା ନୁହେଁ। କେନ୍ଦ୍ର ରାଜି ହୋଇପାରେ ବା ନହୋଇପାରେ ହେଲେ ରାଜ୍ୟର ଦାବି ଉପସ୍ଥାପନ କରାଯିବାର ଆବଶ୍ୟକତା ରହିଛି।
ଦିବସ ବ୍ୟାପୀ ଚାଲିବାକୁ ଥିବା ଉକ୍ତ ବୈଠକରେ କେତେକ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବୈଠକରେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ନୀତିଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏପରିକି ବୈଠକରେ କୃଷକଙ୍କ ଆୟରେ କିଭଳି ଭାବେ ବୃଦ୍ଧି କରାଯାଇପାରିବ, ଆର୍ୟୁଷ୍ମାନ ଭାରତ, ଜାତୀୟ ପୁଷ୍ଟି ମିସନ୍‍ ଓ ମିସନ୍‍ ଇନ୍ଦ୍ରଧନୁଷ ଏବଂ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ବିଷୟ ଉପରେ ଆଲୋଚନା କରାଯିବାର ଆଶା କରାଯାଉଛି। ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‍ ଗଡକରୀ ଏବଂ କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂ ପ୍ରମୁଖ ଯୋଗଦେଇପାରନ୍ତି।

Leave A Reply