www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଶାସନର ବାତ୍ୟା ପ୍ରସ୍ତୁତିକୁ ତଦାରଖ କଲେ ଆଇନ ମନ୍ତ୍ରୀ : ଖାଦ୍ୟ, ଔଷଧ ଓ ଗୋଖାଦ୍ୟ ବଣ୍ଟନ ଉପରେ ଗୁରୁତ୍ବ

ନିଶ୍ଚିନ୍ତକୋଇଲି : ସାମୁଦ୍ରିକ ଝଡ଼ରୁ ବାତ୍ୟା ରୂପ ନେଇଥିବା ‘ଦାନା’ର ପ୍ରକୋପ ବଢ଼ି ବଢ଼ି ଚାଲିଛି। ଆଜି ସକାଳୁ ପବନ ସହିତ ତୁହାକୁ ତୁହା ବର୍ଷା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। ଏହାକୁ ଦେଖି ଲୋକମାନେ ଆତଙ୍କିତ ହେଉଛନ୍ତି। ପାଣିପାଗର ଆକଳନ ଅନୁଯାୟୀ କଟକ ଜିଲାର ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ୍ ବାତ୍ୟାରେ ଅଧିକ ପ୍ରଭାବିତ ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ବାତ୍ୟାର ମୁକାବିଲା ପାଇଁ କଟକ ଜିଲା ଦାୟିତ୍ୱରେ ଥିବା ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଅପରାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟାର ସଫଳ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳ, ନଗସପୁର ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଇନ ମନ୍ତ୍ରୀ ସ୍ଥାନାନ୍ତର ହୋଇ ସେଠାରେ ରହିଥିବା ଲୋକମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି।

- Advertisement -

ଏହି ଅବସରରେ ବ୍ଲକ୍ ସମ୍ମିଳନୀ କକ୍ଷରେ ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟ ଖସଡ଼ାର ତଦାରଖ କରିଛନ୍ତି। ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ପୈାରୋହିତ୍ୟରେ ବିଭାଗୀୟ ଅଧିକାରୀମାନେ ବାତ୍ୟା ମୁକାବିଲାର ପ୍ରସ୍ତୁତି ସମ୍ପର୍କିତ କାର୍ଯ୍ୟ ଖସଡ଼ା ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ବ୍ଲକ୍ ଅଞ୍ଚଳରେ ୩୧ ଗୋଟି ବାତ୍ୟା ଆଶ୍ରୟସ୍ଥଳରେ କଚ୍ଚାଘର ଥିବା ପରିବାରର ୨୦୦୦ ରୁ ଊର୍ଦ୍ଧ୍ବ ଲୋକେ ଆଶ୍ରୟ ନେଇଛନ୍ତି।

ସେମାନଙ୍କ ପାଇଁ ଖାଦ୍ୟପେୟ, ଆଲୋକ, ପାନୀୟଜଳ, ଔଷଧ ଓ ଚିକିତ୍ସା ସେବା ଯୋଗାଇଦେବାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାକୁ ବି.ଡି.ଓ.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ବାତ୍ୟା ଆଶ୍ରୟସ୍ଥଳରେ ଥିବା ଶହ ଶହ ଗୋରୁଗାଈଙ୍କ ପାଇଁ ଗୋଖାଦ୍ୟ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ଲକ୍ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ନୋଡାଲ ଅଫିସର ସେମାନଙ୍କର ଦାୟିତ୍ବକୁ ସୂଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ‘ଦାନା’ର ପ୍ରକୋପରେ ଯେଭଳି ସମସ୍ତ ବ୍ୟକ୍ତିଙ୍କର ଧନଜୀବନ ସୁରକ୍ଷିତ ରହିବ ସେଥିଲାଗି ସରକାରଙ୍କ ପକ୍ଷରୁ ଯତପରୋନାସ୍ତି ପ୍ରସ୍ତୁତି କରାଯାଇଛି। ବାତ୍ୟାର ପ୍ରକୋପକୁ ସରକାର ମୁକାବିଲା କରିବାରେ ଶତ ପ୍ରତିଶତ ସଫଳ ହେବେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ମନ୍ତ୍ରୀଙ୍କ ସହିତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ପୋଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories