ଟୋଲ ପ୍ଲାଜା କାର୍ଯ୍ୟାଳୟରେ ତାଲା ପକାଇଲେ ଠିକାଦାର
ଟାଙ୍ଗୀ : ଭୁବନେଶ୍ୱର ବରମୁଣ୍ଡା ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ହାଇୱେଜ ପ୍ରାଇଭେଟ ଲିମିଟେଡ୍ (ଏସଜେଇପିଏଲ) ଏବଂ ସିଂପ୍ଲେକ୍ସ କମ୍ପାନୀ ସେମାନଙ୍କ ଅଧିନରେ କାର୍ଯ୍ୟ କରିଥିବା ପ୍ରାୟ ୮ଜଣ ପେଟି ଠିକାଦାରଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା ସହିତ ସେମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗହୋଇଛି । ଏନେଇ ସଂପୃକ୍ତ ପେଟି ଠିକାଦାରମାନେ ଶୁକ୍ରବାର ନିର୍ଗୁଣ୍ଡିସ୍ଥିତ ଏସଜେଇପିଏଲର ଟୋଲ ପ୍ଲାଜା କାର୍ଯ୍ୟାଳୟ ଫାଟକରେ ତାଲା ପକାଇବା ସହିତ ଧାରଣା ଦେଇଥିଲେ । ଫଳରେ ଏହାକୁ ନେଇ ସେଠାରେ ଅପୟୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।
ଠିକାଦାରମାନଙ୍କ କହିବା ଅନୁଯାୟୀ, ସଂପୃକ୍ତ ଦୁଇ ବୃହତ୍ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରିବା ପାଇଁ ସେମାନେ ଚୁକ୍ତିବଦ୍ଧ ହୋଇଥିଲେ । ଚୁକ୍ତି ଅନୁଯାୟୀ ସେମାନଙ୍କୁ ଜାତୀୟ ରାଜପଥ ପାଶ୍ୱର୍ ଡ୍ରେନ୍ ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯାଇଥିଳା । ସେମାନେ ନିର୍ଦ୍ଧାରିତ ସମୟରେ ଓ ନିର୍ଦ୍ଧାରିତ ମାନର କାମ ସଂପାଦନ କରିଥିଳେ ହେଁ ଗତ ପ୍ରାୟ ଦେଢବର୍ଷ ହେବ ସେମାନଙ୍କ ବକେୟା ପ୍ରାପ୍ୟ ଦିଆଯାଉନାହିଁ । ବାରମ୍ବାର ସଂପୃକ୍ତ ଠିକାଦାର ସଂସ୍ଥାର ଅଧିକାରୀଙ୍କୁ ଗୁହାରୀ କଲେ ବି କେହି କର୍ଣ୍ଣପାତ କରୁନାହାଁନ୍ତି । ସଂପୃକ୍ତ ଠିକା ସଂସ୍ଥା ମାଲିକ କୋଲକାତାରେ ରହୁଥିଲାବେଳେ ସେମାନେ ଜାଣିଶୁଣି ସମସ୍ୟାର ସମାଧାନ କରୁ ନାହାଁନ୍ତି । ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ଦ୍ଦେଶକଙ୍କୁ ଜଣାଇ ଥିଲେବି କିଛି ସୁଫଳ ମିଳିନାହିଁ । ଫଳରେ ବାଧ୍ୟ ହୋଇ ସେମାନେ ସଂପୃକ୍ତ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ଧୋଲ ପ୍ଲାଜା କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ବୋଲି ପେଟି ଠିକାଦାରମାନେ କହିଛନ୍ତି । ଏହା ସତ୍ତେ୍ୱ ଯଦି ସମସ୍ୟାର ସମାଧାନ ନହୁଏ ତେବେ ସେମାନେ ଟୋଲ ପ୍ଲାଜା ଆଗରେ ଆତ୍ମାହୂତି ଦେବେ ବୋଲି ପେଟି ଠିକାଦାର ବଦ୍ରୀ ପ୍ରସାଦ ମାହାନ୍ତି ଓ ଲିପିକ୍ ଚୌଧୁରୀ ଚେତାବନୀ ଦେଇଛନ୍ତି ।
Comments are closed.