ଅକାଳେ ଝଡ଼ିଗଲା ଯୁବତୀଙ୍କ ଜୀବନ!
ନୀଳଗିରି: ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଜଣେ ୨୩ବର୍ଷୀୟା ଯୁବତୀଙ୍କ ଜୀବନ ଅକାଳରେ ଝଡ଼ି ଯାଇଛି । ଜାମୁଡ଼ିହା ପଞ୍ଚାୟତ ଅଧୀନ ବଡ଼ବିଲ କେଶୁରା ଅଞ୍ଚଳର ବର୍ଷା ବିଶ୍ୱାଳ(୨୩)ଙ୍କ ଅକାଳ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଯୁବତୀ ଜଣକ ପାଠପଢ଼ା ସାରି ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ପରେ ସେ ବାଲେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସହକର୍ମୀମାନେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଥିବା ସମୟରେ ସେ ଆହୁରି ଅସୁସ୍ଥ ହୋଇ ଯାଇଥିଲେ ।
ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ପରିବାରୂଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ହେଁ ଡାକ୍ତରଖାନା ଫାଟକ ସମ୍ମୁଖରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । କିଛିବର୍ଷ ହେବ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିଲେ । ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ହୃଦଘାତରେ ତାଙ୍କର ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ଯୁବତୀଙ୍କ ସହପାଠୀ, ସହକର୍ମୀ ତଥା ଅଞ୍ଚଳବାସୀ ଗଭୀର ଶୋକପ୍ରକାଶ କରିଛନ୍ତି ।
Comments are closed.