ଲଡୁଗାଁ: କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗାର୍ଡ ନିଯୁକ୍ତ ଥାଇ ସୁରକ୍ଷା ବଳୟ ମଧ୍ୟରେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆଶା କର୍ମୀ ସଂଯୁକ୍ତା ନାଏକଙ୍କୁ ଡାକ୍ତରଖାନା ମହିଳା ଶୌଚାଳୟରେ ଜଣେ ଅସାମାଜିକ ଯୁବକ ଦୁଷ୍କର୍ମ ଉଦ୍ୟମ କରିବା ଏବେ ଆଲୋଚନାର ପରିସରକୁ ଆସିଛି । ଗତ ୨ ତାରିଖରେ ଜଣେ ଆଶା କର୍ମୀ ନବ ଜନ୍ମିତ ଛୁଆମାନଙ୍କ ଜନ୍ମ ପ୍ରମାଣପତ୍ର ନେବାକୁ ଡାକ୍ତରଖାନାକୁ ଆସି ମହିଳା ୱାର୍ଡରେ ଥିବା ଶୌଚାଳୟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଡାକ୍ତରଖାନାରେ ସ୍ୱିପର ଥିବା ସୁଦର ନାଏକ ନାମକ ଜଣେ କର୍ମଚାରୀର ପୁଅ କୁଶ ନାଏକ (ସାନ) ବଳପୂର୍ବକ ଶୌଚାଳୟରେ ପଶି ଆଶା କର୍ମୀଙ୍କୁ ଅଶ୍ଳୀଳ ଆଚରଣ କରି ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା। ତେବେ ଆଶା କର୍ମୀ ଚିତ୍କାର କରିବାରୁ ସେ ଘଟଣାସ୍ଥଳରୁ କୁଶ ଚମ୍ପଟ ମାରିଥିଲା।
ସ୍ୱାମୀ ଘରେ ନଥିବାରୁ ଗତ ୪ ତାରିଖରେ ସ୍ୱାମୀଙ୍କ ସହ ଆସି କୋକସରା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ୯ ଦିନ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ପୀଡିତା ଆଶା କର୍ମୀଙ୍କୁ ନ୍ୟାୟ ପ୍ରଦାନ ଓ କାର୍ଯ୍ୟାନୁଷ୍ଠାନ ଦାବିରେ କୋକସରା ବ୍ଲକ ଆଶା କର୍ମୀ ସଙ୍ଘ ନେତ୍ରୀଙ୍କ ନେତୃତ୍ୱରେ ଶତାଧିକ ଆଶା କର୍ମୀ ନ୍ୟାୟ ପ୍ରଦାନ ଦାବିରେ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। କୋକସରା ପୁଲିସ ପକ୍ଷରୁ କେବଳ ମାମଲା ରୁଜୁ କରି ଚୁପ ରହିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବ୍ଲକ୍ ଆଶା କର୍ମୀ ସଙ୍ଘର ସଭାପତି ରମଣୀ ଦଣ୍ଡସେନା, ସମ୍ପାଦିକା ଜାଜ୍ଞସେନି ମହାନ୍ତି ପୀଡିତା ଆଶା କର୍ମୀ ସଂଯୁକ୍ତା ନାଏକ ପୁଲିସର ଦ୍ୱାରସ୍ଥ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶା କର୍ମୀ ସଙ୍ଘ କଳାହାଣ୍ଡି ସିଡିଏମଓଙ୍କ ସାହାଯ୍ୟ ମଧ୍ୟ ଲୋଡିଛନ୍ତି। ଏ ନେଇ କୋକସରା ଆଇଆଇସି ସ୍ନିଗ୍ଧାରାଣୀ ସୁନାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ କରାଯାଉଛି, ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ସେ ବୋଲି କହିଛନ୍ତି।



