ଆଠଗଡ଼: ଆଠଗଡ଼ରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଠଗଡ଼ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ୨ଟି ବିଦ୍ୟାଳୟର ନାମ ଅସମ୍ବିଧାନିକ ଥିବାରୁ ସେଗୁଡିକର ନାମ ପରିବର୍ତ୍ତନ ସହିତ ପାନୀୟ ଜଳ ସମସ୍ୟା ଦୂର ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ସଂପାଦକ ସତ୍ୟଜିତ୍ ମଲ୍ଲିକ, ଉପସଭାପତି ପିତବାସ ନାଏକ ଓ ଅନ୍ୟ ସଦସ୍ୟମାନେ ଜନଶୁଣାଣୀରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଠଗଡ଼ ସହରର ଡାକ୍ତରଖାନା ଛକଠାରେ ଥିବା ହରିଜନ ପ୍ରାଥମିକ ବିଦ୍ୟାଳୟ ଏବଂ ତିଗିରିଆର ନୂଆସଡକ ଠାରେ ଥିବା ହରିଜନ ଆବାସିକ ବିଦ୍ୟାଳୟ ନାମକରଣରେ ହରିଜନ ଶବ୍ଦ ବ୍ୟବହାର କରାଯାଇଥିବାରୁ ଆପତ୍ତି ଉଠାଇ ସଂପୃକ୍ତ ୨ ବିଦ୍ୟାଳୟର ନାମକରଣ ଆମ୍ବେଦକରଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଥିଲେ। ଏଥି ସହିତ ଧୁରୁକୁଡିଆ ଆଦିବାସୀ ସାହି ସମେତ ଅନ୍ୟାନ୍ୟ ଗ୍ରାମଗୁଡିକରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କ ଦାବି ସରକାରଙ୍କୁ ଅବଗତ କରାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।
Popular Categories



