ସମ୍ବଲପୁର: ସମ୍ବଲପୁର ଜିଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ୫ମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଜିଲାପାଳ ଅନନ୍ୟା ଦାସ ସମେତ ରେଢ଼ାଖୋଲ ଓ ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି, ସାଂସଦଙ୍କ ପ୍ରତିନିଧି, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲା ପରିଷଦ ରମେଶ ହାଁସଦାଙ୍କ ସମେତ ପରିଷଦର ସଦସ୍ୟ, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଜିଲା ପରିଷଦର ସଦସ୍ୟ, ପଞ୍ଚାୟତ ସମିତିର ଅଧ୍ୟକ୍ଷ ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଗୁଡିକ ସହିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ମାନ ଉପସ୍ଥାପନ କରିଥିଲେ। ବୈଠକରେ କୃଷି ବିଭାଗର ରବି କାର୍ଯ୍ୟକ୍ରମ ଓ ୨୦୨୨ – ୨୩ ପାଇଁ ଏହାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତ ରବି ଋତୁରେ ୭୪ ହଜାର ୨୦୦ ହେକ୍ଟର ଜମିରେ ବିଭିନ୍ନ ଫସଲର ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା କରାଯାଇଥିବା ବେଳେ ୭୪ ହଜାର ୧୪୫ ହେକ୍ଟର ଜମିରେ ଚାଷ କରାଯାଇଛି।
ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ସାର, ଇନପୁଟ ସବସିଟି, ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ ପ୍ରସ୍ତାବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭିତ୍ତିଭୂମିର ଉନ୍ନତି ପ୍ରସ୍ତାବ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ, ୫ଟି ସ୍କୁଲ ରୂପାନ୍ତରିକରଣ, ଜିଲା ମଙ୍ଗଳ ବିଭାଗର ଶିକ୍ଷକ ସ୍ଥିତି, ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥି ସହ ଉଠା ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, ଗ୍ରାମ୍ୟ ଉନ୍ନୟନ, ସଡକ ଓ ପୁର୍ତ୍ତ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରେଢ଼ାଖୋଲ ଅଞ୍ଚଳରେ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବୈଠକରେ ଅଧିକାରୀ ମାନେ ସୂଚନା ଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ, କୃଷି ଋଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ପରିମଳ ବିଭାଗର ବିଭିନ୍ନ ଯୋଜାନର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କୁ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। କେନ୍ଦ୍ରୀୟ ପଞ୍ଚଦଶ ଓ ପଞ୍ଚମ ଅର୍ଥ କମିଶନର ଆବଦ୍ଧ ଅନୁଦାନର ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।



