ସମ୍ବଲପୁର: ଆକାଶବାଣୀ ସମ୍ବଲପୁର ଭାରତର ସର୍ବ ପୁରାତନ କେନ୍ଦ୍ର ମଧ୍ୟରେ ଅନ୍ୟତମ। ପଶ୍ଚିମ ଓଡିଶା ତଥା ସମ୍ବଲପୁର ଜିଲ୍ଲା ଏକ ସଂସ୍କୃତି ସମ୍ପନ୍ନ ଅଂଚଳ ହୋଇଥିବା ବେଳେ ଆକାଶବାଣୀ ସମ୍ବଲପୁର ପକ୍ଷରୁ ବିଗତ ଦିନରେ ଅନେକ କାର୍ୟ୍ୟକ୍ରମ ପ୍ରସ୍ତୁତ ଓ ପ୍ରସାରିତ କରାଯାଇ ଲୋକାଦୃତ ହେବା ସହ ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇ ଆସିଛି। ହେଲେ ଦିନକୁ ଦିନ ଶ୍ରୀହୀନ ହୋଇପଡୁଛି ଏହି ଆକାଶବାଣୀ କେନ୍ଦ୍ର। ମୁଖ୍ୟ କେନ୍ଦ୍ର ସହ ଏଫ. ଏମ. କେନ୍ଦ୍ର ର ଆରମ୍ଭ ହୋଇଥିଲା ରେଡ଼ିଓ ମହାନଦୀ ନାମ ରେ, ଏହି ଏଫ. ଏମ. ଟ୍ରାନ୍ସମିଟର ର କ୍ଷମତା ଥିଲା ୧୦ କିଲୋୱାଟ ହେଲେ ଅନେକ ଦୋଷ ତ୍ରୁଟି ଯୋଗୁଁ ତାହା ଆଜିର ଦିନରେ ଖସି ଆସି ୨୫୦ ୱାଟରେ ପହଂଚି ଯାଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ କହିଛି ’ସକ୍ଷମ’। ଏହି କ୍ରମରେ ସକ୍ଷମ ପକ୍ଷରୁ ସୂର୍ୟ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, ସରୋଜ ସାହୁ ଓ ଶ୍ରୀକାନ୍ତ ପାଣିଗ୍ରାହୀ ଆକାଶବାଣୀ ର ଡାଇରେକ୍ଟର ଜେନେରାଲ ଡ଼. ବସୁଧା ଗୁପ୍ତା ଙ୍କୁ ହୋଟେଲ ଡ଼ଲଫିନ ଠାରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସକ୍ଷମର ପ୍ରତିନିଧି ମାନେ ଆହୁରି ମଧ୍ୟ ଦାବୀ ଜଣାଇଛନ୍ତି ଯେ, ଆଜିର ଦିନରେ ଏଫ.ଏମ. ରେଡ଼ିଓ ର ଯେପରି ଭାବରେ ଲୋକପ୍ରିୟତା ବଢୁଛି।
ସମ୍ବଲପୁର ଆକାଶବାଣୀ ଏଫ.ଏମ. ଟ୍ରାନ୍ସମିଟର ର ପ୍ରସାରଣ କ୍ଷମତା ୧୦ କିଲୋୱାଟ ରୁ ୨୦ କିଲୋୱାଟକୁ ବୃଦ୍ଧି କରାଯିବା ସହିତ ଆଗାମୀ ଦିନରେ ଏ.ଏମ. ଟ୍ରାନ୍ସମିଶନ ମାନେ ପ୍ରସାର ଭାରତୀ ବନ୍ଦ କରିବାର ପ୍ରସ୍ତାବ ରଖୁଥିବାରୁ ଅନ୍ୟ ବଡ଼ ବଡ଼ ସହର ଓ ଆକାଶବାଣୀ କେନ୍ଦ୍ର ମାନଙ୍କରେ ଯେମିତି ଅଧିକ ଏଫ. ଏମ. କେନ୍ଦ୍ର ପ୍ରତିଷ୍ଠା ହେଉଛି ସେହିଭଳି ଆଉ ଏକ ୧୦ କିଲୋୱାଟ କ୍ଷମତା ସମ୍ପନ୍ନ ଏଫ.ଏମ. ଟ୍ରାନ୍ସମିଟର ପ୍ରତିଷ୍ଠାର ଯୋଜନା ପ୍ରସ୍ତୁତ କରାଯିବାକୁ ’ସକ୍ଷମ’ ଦାବୀ ଜଣାଇଛି। ସକ୍ଷମ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛି ଯେ, ଆକାଶବାଣୀ ଏଫ. ଏମ. ର ବ୍ୟବସାୟିକ ସଫଳତା ପାଇଁ ଆବଶ୍ୟକୀୟ ମାର୍କେଟିଙ୍ଗ ଅଧିକାରୀଙ୍କୁ ନିୟୋଜିତ କରାଯାଉ, ଯଦ୍ୱାରା ଆକାଶବାଣୀ ଏଫ. ଏମ. ସଫଳତା ପାଇବା ସହ ଉଚ୍ଚସ୍ତରୀୟ କାର୍ୟ୍ୟକ୍ରମ ପ୍ରସ୍ତୁତ କରି ଲୋକପ୍ରିୟ ମଧ୍ୟ ହୋଇପାରିବ।
ଆକାଶବାଣୀ ଏଫ.ଏମ. ଟ୍ରାନ୍ସମିଟରର କ୍ଷମତା ବୃଦ୍ଧି କରିବାକୁ ଡିଜିଙ୍କୁ ଦାବୀ ପତ୍ର ପ୍ରଦାନ
Popular Categories



