ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଆଜି ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ୬ ଯୁବକକୁ ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫଗାର୍ଡ ମାନେ ଉଦ୍ଧାର କରିଥିଲେ। ଆଜି ମଧ୍ୟାହ୍ନ ୧ଟା ବେଳେ ୪ ଯୁବକ କଳାହାଣ୍ଡିର ସୁଦାମ ସାହୁ ଓ ସାଇ କିରଣ ଛତ୍ରପୁରର ଓମ ପ୍ରକାଶ ସେନାପତି, ହିଞ୍ଜିଳିକାଟୁର କେଦାର ସ୍ୱାଇଁ ପ୍ରମୁଖ ସମୁଦ୍ରରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ସମୁଦ୍ର ମଧ୍ୟକୁ ଚାଲି ଯାଇଥିଲେ। ବେଳାଭୂମିରେ ଥିବା ପୁଲିସ ଆଉଟ ପୋଷ୍ଟ ଡ୍ୟୁଟିରେ ନିୟୋଜିତ ରହିଥିବା ଜି ଚିଟିବାବୁ ଉକ୍ତ ୪ ଜଣଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ଯୁବକମାନଙ୍କୁ କିଛି ସମୟ ବିଶ୍ରାମ ଦେବା ପରେ ସେଠାରୁ ଯାଇଥିବା ଜଣାପଡ଼ିଛି।
ସେହିପରି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସେହି ସ୍ଥାନରେ ଗାଧୋଉଥିବା ବେଳେ ଦୁଇ ଜଣ ଯୁବକ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଦୁଇ ଜଣ ହେଲେ କବିସୂର୍ଯ୍ୟନଗରର ଯୋଗେନ୍ଦ୍ର ଡ଼ାକୁଆ, ପ୍ରିନ୍ସ ଡ଼ାକୁଆ ଦୁଇ ଭାଇ ବୋଲି ଜଣାପଡିଛି। ସେହି ସମୟରେ ଡ୍ୟୁଟିରେ ଥିବା ଲାଇଫଗାର୍ଡ ଜି. କାଳୀ ଶଙ୍କର, ଲିଙ୍ଗରାଜ ବେହେରା ଟ୍ୟୁବ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୨୦୦୯ ରେ ବେଳାଭୂମି ରେ ଗୋପାଳପୁର ପୁଲିସ ପକ୍ଷରୁ ୪ ଜଣ ସ୍ଥାନୀୟ ମତ୍ସ୍ୟଜୀବୀ ଯୁବକକୁ ଗୃହରକ୍ଷୀ ଭାବେ ନିଯୁକ୍ତି ଦିଆଯାଇ ସେମାନଙ୍କୁ ଲାଇଫଗାର୍ଡ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି ସୁଦ୍ଧା ଲାଇଫ ଗାର୍ଡ ମାନେ ପ୍ରାୟ ୨୧୩ ଜଣଙ୍କୁ ସମୁଦ୍ର ଢେ଼ଉରେ ଭାସି ଯାଉଥିବା ବେଳେ ଉଦ୍ଧାର କରି ପାରିଛନ୍ତି।



