ଆଠଗଡ଼: କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ସୂଚନା ଆଧାରରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ପକ୍ଷରୁ ଆଠଗଡ଼ ଥାନା ଅନ୍ତର୍ଗତ ବାଉଁଶଦଣ୍ଡା ଛକ ନିକଟରୁ ୨୧.୫୦କେଜି ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ତିଗିରିଆ ଅଞ୍ଚଳରୁ ସାଲେପୁର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଂଜୀତ ବାର୍ଲାଙ୍କ ନେତୃତ୍ୱରେ ଅବକାରୀ ସ୍କାର୍ଡ କଟକିଆସାହି ପଞ୍ଚାୟତର ବାଉଁଶଦଣ୍ଡା ଛକ ପେଟ୍ରୋଲ ପମ୍ପ ନିକଟରେ ଜଗି ରହିଥିଲେ। ଏହି ସମୟରେ ଏକ ସ୍କୁଟିରେ ସାଲେପୁର ଥାନା ଅନ୍ତର୍ଗତ ମନୋହରପୁରର ଲକ୍ଷ୍ମଣ ନାୟକ ଓ କୁସମ୍ବି ଗ୍ରାମର ପ୍ରକାଶ କୁମାର ବେହେରା ଏକ ଗଞ୍ଜେଇ ଭରା ବସ୍ତା ନେଇ ଯାଉଥିବାବେଳେ ସେମାନଙ୍କୁ ଅବକାରୀ ସ୍କାର୍ଡ କାବୁ କରିଥିଲେ। ଗଞ୍ଜେଇ ଓ ସ୍କୁଟି ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରି ଆଠଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ହାଜର କରାଯିବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨.୧୫ଲକ୍ଷ ଟଙ୍କା ହେବ ବୋଲି ନିରୀକ୍ଷକ ଶ୍ରୀ ବାର୍ଲାଙ୍କ ସୁତ୍ରରୁ ପ୍ରକାଶ। ଭ୍ରାମ୍ୟମାଣ ସ୍କାର୍ଡ ଉପନିରୀକ୍ଷକ ଅଜିତ୍ କୁମାର ପାତ୍ର ଓ ଅବକାରୀ ସହକାରୀ ଉପନିରୀକ୍ଷକ ହେମନ୍ତ କୁମାର ମଲ୍ଲିକଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।
Popular Categories



