କୋଇଡା: ସରକାରଙ୍କୁ ବିପୁଳ ରାଜସ୍ବ ଦେଉଥିବା କୋଇଡ଼ା ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ଦୟନୀୟ ସ୍ଥିତି ଯୋଗୁଁ ଜନୈକ ଗର୍ଭବତୀ ଓ ତାଙ୍କ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆଁ ପଟବେଡା ଗ୍ରାମରେ ଝାଟିମାଟି ଘରେ ବସବାସ କରନ୍ତି ସାରା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ୩୩ ବର୍ଷୀୟା ବୁବେଇ ମୁଣ୍ଡା। ବୁବେଇ ବିବାହ ପରେ ଦୁଇ ଥର ଗର୍ଭବତୀ ହୋଇଥିଲେ। ଅସ୍ତ୍ରୋପଚାର ଜରିଆରେ ଶିଶୁ ଜନ୍ମ କରିଥିଲେ। ହେଲେ ଦୁଇ ଶିଶୁଙ୍କ ଜନ୍ମ ପରେ ମୃତ୍ୟୁ ହୋଇଯାଇଥିଲା। ବହୁ ବର୍ଷ ପରେ ସେ ପୁଣି ଗର୍ଭବତୀ ହୋଇଥିଲେ। ଶୁକ୍ରବାର ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଆଶା ଦିଦି କେଶବତୀ ପାତ୍ର ସମାଜସେବୀ ବାଦଲ ବାରିକ ସହାୟତାରେ ଗୋଟିଏ ଗାଡିରେ କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଏକ ୟୁନିଟ ରକ୍ତ ଦିଆଯାଇ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରି ଶିଶୁ ବାହାର କଲା ବେଳକୁ ଶିଶୁ ଓ ମା’ ବୁବେଇଙ୍କ ମୃତ୍ୟୁ ହୋଇଯାଇଥିଲା। ରାତି ସାରା ମୃତଦେହ ସେମିତି ପଡି ରହିଥିଲା।
ସାଥୀରେ ଯାଇଥିବା ଆଶା ଦିଦି ସେଠାରେ ଅଧିକାରୀଙ୍କୁ ଗୁହାରି କରିଥିଲେ ମହାପ୍ରୟାଣ ଗାଡ଼ି ପାଇଁ। ହେଲେ କୌଣସି ମହାପ୍ରୟାଣ ଗାଡ଼ି ମିଳି ନ ଥିଲା। ବେସରକାରୀ ମହାପ୍ରୟାଣ ଗାଡ଼ି ପାଇଁ ୯ରୁ ୧୦ ହଜାର ଟଙ୍କା ଲାଗିଯିବ ତାଙ୍କୁ କୁହାଯାଇଥିଲା। ଦିଦିଙ୍କ ପାଖରେ ସେତିକି ଟଙ୍କା ନ ଥିଲା। ସକାଳୁ କେନ୍ଦୁଝରର ସମାଜସେବୀ ସଞ୍ଜୀବ ସାହୁ ଖବର ପାଇ କୋଇଡା ସାମ୍ବାଦିକ ସଂଘକୁ ଯୋଗାଯୋଗ କରିଥିଲେ। ସଙ୍ଗେ ସଙ୍ଗେ କୋଇଡା ସାମ୍ବାଦିକ ସଂଘ (କେୟୁଜେ) ମହାପ୍ରୟାଣ ଗାଡ଼ି ସୁବିଧା, ଶେଷକୃତ୍ୟ ପାଇଁ ସହାୟତାର ହାତ ବଢାଇବା ସହ ସମସ୍ତ ବ୍ୟବସ୍ଥା କରି ବୁବେଇଙ୍କ ଘରେ ପହଞ୍ଚି ଥିଲା। ଜୋର୍ ବର୍ଷା ସତ୍ତ୍ବେ ସଭାପତି ସଂଘ ସଭାପତି ସଞ୍ଜୀବ ମହାପାତ୍ର, ସମ୍ପାଦକ ଅବିନାଶ ଶର୍ମା, ଉପସଭାପତି ସମୀର ପାଢୀ, କୋଷାଧ୍ୟକ୍ଷ ସୁଶାନ୍ତ ଦାଶ, ଯୁଗ୍ମ ସମ୍ପାଦକ ପ୍ରମିଳା ନାୟକ, ରାକେଶ ମହାନ୍ତି, ସୁଦାମ ବାରିକ, ଆକାଶ ଶର୍ମା, ଗଣେଶ ଆପଟ, ଦିଲୀପ ମହାକୁଡ, ସରୋଜ ମାହାନା ପ୍ରମୁଖ ସଦସ୍ୟ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ। ମୃତଦେହ ଯେତେବେଳେ ପହଞ୍ଚିଲା ବୁବେଇଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା।



