ପାଟନା/କଲକାତା: ବିହାରର ପାଟନାରେ ବିରୋଧୀ ଦଳଗୁଡ଼ିକଙ୍କୁ ନେଇ ଶୁକ୍ରବାର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅନ୍ୟପଟେ ଏହା ଶାସକ ବିଜେପି ନେତୃତ୍ବ ଏନ୍ଡିଏ ପାଇଁ ବଡ ଆହ୍ବାନ ହୋଇଛି। ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ଦେଶର ରାଜନୀତି ପାଇଁ ଶୁଭ ସଙ୍କେତ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍ସି) ତରଫରୁ ଦର୍ଶାଯାଇଛି। ବିଜେପିର ଅଗଣତାନ୍ତ୍ରିକ ଓ ଏକଛତ୍ରବାଦ ରାଜନୀତି ପ୍ରତିବାଦରେ ବିରୋଧୀ ଦଳମାନେ ଏକତ୍ର ହେବା ସମୟର ଆହ୍ବାନ ବୋଲି ଟିଏମ୍ସି କହିଛି।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ବାରା ଆହୂତ ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏମ୍.କେ ଷ୍ଟାଲିନ, ଏନ୍ସିପି ସଭାପତି ଶରଦ ପୱାର, ମେହବୁବା ମୁଫତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ବିରୋଧୀ ଦଳ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟିଏମ୍ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ବୈଠକରେ ଯୋଗ ଦେବେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅାଲୋଚନା କାଳରେ ଟିଏମ୍ସିର ବରିଷ୍ଠ ନେତା ଡେରିକ୍ ଓ’ ବ୍ରାଏନ୍ କହିଥିଲେ ଦେଶର ସମ୍ବିଧାନକୁ ରକ୍ଷା କରିବା ସହ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ବିରୋଧୀ ନେତା ବୈଠକରେ ମିଳିତ ହେବା ଭାରତର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ବିରୋଧୀ ଦଳ ନେତାଙ୍କ ଏହା ପ୍ରାରମ୍ଭିକ ବୈଠକ ହୋଇଥିବା ବେଳେ ଆଗାମୀଦିନରେ ପୁନର୍ବାର ସେମାନେ ବୈଠକରେ ମିଳିତ ହେବେ। ତେଣୁ ବର୍ତ୍ତମାନ ଠାରୁ ବୈଠକକୁ ନେଇ କୌଣସି ଭବିଷ୍ୟବାଣୀ କରିବା କାହା ପକ୍ଷରେ ଉଚିତ୍ ହେବ ନାହିଁ।
ସୂଚନାଥାଉ କି ଗତ ଏପ୍ରିଲ୍ରେ ନୀତୀଶ କୁମାର କଲକାତା ଯାଇ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ବିରୋଧୀ ଦଳଙ୍କ ବୈଠକରେ ପାଟନାରେ କରିବାକୁ ମମତା ପ୍ରସ୍ତାବ ଦେଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଳ୍ପଦିନ ବାକି ରହିଥିବାରୁ ଆଲୋଚନାପୂର୍ବକ ବିରୋଧୀ ଦଳମାନଙ୍କୁ ନେଇ ମେଣ୍ଟ ଗଠନ ଉପରେ ଗୁରୁତ୍ବାରୋପ କରିଛନ୍ତି ଟିଏମ୍ସି ନେତା ସୁଖେନ୍ଦୁ ଶେଖର ରୟ। ବିଜେପି ଦେଶର ଗଣତନ୍ତ୍ରକୁ ନଷ୍ଟ କରିଛି ଏବଂ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏପରି ସ୍ଥିତିରେ ବିଜେପିକୁ ପରାସ୍ତ କରିବାକୁ ଯଦି ବିରୋଧୀ ଦଳମାନେ ଏକାଠି ନ ହେବେ ତାହା ଦେଶ ପାଇଁ ଦୁର୍ଭାଗ୍ୟଜନକ ହେବ ବୋଲି ସୁଖେନ୍ଦୁ ମତ ଦେଇଛନ୍ତି। ବିରୋଧୀ ଦଳ ମେଣ୍ଟ ଗଠନ ହେଲେ କିଏ ଏହାର ନେତୃତ୍ବ ନେବ ବୋଲି ପ୍ରଶ୍ନର ଉତ୍ତରରେ ସୁଖେନ୍ଦୁ କହିଥିଲେ ଏହି ପ୍ରସଙ୍ଗ ବର୍ତ୍ତମାନ ସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ନୁହେଁ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ଇତିମଧ୍ୟରେ ମମତା ବାନାର୍ଜୀ ପାଟନା ଯାଇ ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡ଼ି ଦେବୀଙ୍କୁ ସାକ୍ଷାତ କରିଥିଲେ। ମମତାଙ୍କ ସହ ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ। ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଦିଲ୍ଲୀ ସରକାରଙ୍କୁ ସମର୍ଥନ ନ କଲେ ଶୁକ୍ରବାର ବୈଠକରୁ ଓହରି ଯିବ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ତରଫରୁ ଚେତାବନୀ ଦିଆଯାଇଛି।



