ଲାଗୁ ହେଲା ନୂଆ ଫୌଜଦାରୀ ଆଇନ: ଜାଣନ୍ତୁ କଣ ରହିଛି ନ୍ୟାୟ ବ୍ୟବସ୍ଥା
ସମାଜ ଡିଜିଟାଲ ଡେସ୍କ: ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ ନୂଆ ଆଇନ ଲାଗୁ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର ୨୫ ତାରିଖରେ ଏହି ୩ ନୂଆ ଆଇନ୍ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇଛି । ଜୁଲାଇ ପହିଲାରୁ ଦେଶରେ ଏହି ୩ ନୂଆ ଅପରାଧ ଆଇନ ଲାଗୁ ହୋଇଛି । ୧୮୬୦ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ଭାରତୀୟ ଦଣ୍ଡବିଧାନ ସାକ୍ଷ୍ୟ (ଆଇପିସି), ୧୯୭୩ର ଅପରାଧିକ ଦଣ୍ଡ ସଂହିତା (ସିଆରପିସି) ଏବଂ ୧୮୭୨ ଭାରତୀୟ ପ୍ରମାଣ ଆଇନ୍ କୁ ପରିବର୍ତ୍ତନ କରାଯାଇଛି । ଏସବୁ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା-(ବିଏନଏସ୍)୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ୍ଏସ୍) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୨୩ (ବିଏସଏ) ଲାଗୁ ହୋଇଛି । ତେବେ ନୂଆ ଆଇନ ଓ ପୁରୁଣା ଆଇନ ମଧ୍ୟରେ ଅନେକ ଫରକ୍ ରହିଛି । ପୁରୁଣା ଆଇନରେ ଅପରାଧିକୁ ଗୁରୁତ୍ୱ ଦିଆଯାଇଥିଲା । ହେଲେ ନୂଆ ଆଇନରେ ନ୍ୟାୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମାନବାଧିକାର ଓ ତଦନ୍ତରେ କିଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ, ଆବଶ୍ୟକ ସମୟରେ କିପରି ଅଧିକ ଶକ୍ତି ବିନିଯୋଗ କରାଯିବ, ନୂଆ ଆଇନରେ ସେ ସବୁ ପ୍ରାବଧାନ ରହିଛି ।
କଣ ଏହି ଭାରତୀୟ ନ୍ୟାୟ ସଂହିତା ଆଇନ-୨୦୨୩
କୌଣସି କାର୍ଯ୍ୟକଳାପକୁ କେତେବେଳେ ଅପରାଧ ବୋଲି ବିବେଚନା କରାଯିବ, ସେହି ଅପରାଧ ପାଇଁ କଣ ସବୁ ଦଣ୍ଡବିଧାନ ରହିଛି । ଏଭଳି ସୂଚନା ଭାରତୀୟ ଦଣ୍ଡବିଧାନ ସଂହିତା ୧୮୬୦ରୁ ମିଳିଛି । ଏହି ଆଇନ ଆଧାରରେ ଉଭୟ ନ୍ୟାୟପାଳିକା ଏବଂ ପୁଲିସ ମଧ୍ୟ କାର୍ଯ୍ୟ କରିଥାନ୍ତି । ହେଲେ ବ୍ରିଟିଶ ଅମଳର ଏହି ଆଇପିସି ଏବେ ବଦଳିବାକୁ ଯାଉଛି । ଆଇପିସି ସ୍ଥାନରେ ଆମ ଦେଶରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)-୨୦୨୩ ପ୍ରଚଳିତ ହୋଇଛି । ଏହି ଆଇନ ଆମ ଦଣ୍ଡବିଧାନ ଆଇନ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଆଇପିସିରେ ୫୧୧ଟି ଧାରା ଥିବାବେଳେ ଏଥିରେ ୩୫୮ଟି ଧାରା ରହିଛି । ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଅପରାଧର ଦଣ୍ଡବିଧାନକୁ ନେଇ ଏହି ନୂଆ ଆଇନରେ ନୂଆ ନିୟମ ସାମିଲ୍ କରାଯାଇଛି । ଯେପରିକି ଭିଡ଼ ହିଂସା, ନାବାଳିକାଙ୍କୁ ଗଣଦୁଷ୍କର୍ମ, ସଂଘଠିତ ଅପରାଧ, ଛିନତାଇ, ଆତଙ୍କବାଦ କାର୍ଯ୍ୟକଳାପ, ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କକୁ ନେଇ ନୂଆ ନିୟମ ସାମିଲ ହୋଇଛି । ଏହି ଆଇନରେ ଯୌନ ଅପରାଧରେ କଠୋର ପଦକ୍ଷେପ ନିଆଯାଇଛି ।
ଯେଉଁମାନେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣାମୂଳକ ଯୌନ ସମ୍ପର୍କ ସ୍ଥାପନ କରିବେ, ସେମାନଙ୍କୁ ଜେଲ ଦଣ୍ଡ ଏବଂ ଜରିମାନା ଦେବାକୁ ଆଇନରେ ବ୍ୟବସ୍ଥା କରାଯାଇଛି । ଏହି ନୂଆ ଆଇନରେ ନିଜର ପରିଚୟ ଲୁଚାଇ କିମ୍ବା ବିବାହ ସମ୍ବନ୍ଧୀୟ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ସାଂପ୍ରତିକ ପରିସ୍ଥିତିରେ ସଂଗଠିତ ଅପରାଧ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଯେପରିକି ଅପହରଣ, ଡକାୟତି, ଗାଡି ଚୋରି, ଜବରଦଖଲ, ଜମି ଜବରଦଖଲ, ଚୁକ୍ତିଭିତ୍ତିକ ହତ୍ୟା, ଅର୍ଥନୈତିକ ଅପରାଧ, ସାଇବର ଅପରାଧ ଏବଂ ବ୍ୟକ୍ତି, ଡ୍ରଗ୍ସ ଅସ୍ତ୍ରଶସ୍ତ୍ର କିମ୍ବା ବେଆଇନ ସାମଗ୍ରୀ ଚୋରାଚାଲାଣ ଆଦି ବହୁ ସଂଖ୍ୟାରେ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହି ସବୁ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କ ପାଇଁ ଆଜୀବନ କାରାଦଣ୍ଡରୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି ।
ସେହିପରି ଆତଙ୍କବାଦକୁ ଏହି ଆଇନରେ ବର୍ଣ୍ଣନା କରାଯାଇଛି । ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କିମ୍ବା ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା କାର୍ଯ୍ୟକୁ ଆତଙ୍କବାଦ ବୋଲି ବିବେଚନା କରାଯାଇଛି । ଏଭଳି କାର୍ଯ୍ୟ କରୁଥିବା ଦୋଷୀଙ୍କ ପାଇଁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ସହ ଜରିମାନା ଦେବାର ବ୍ୟବସ୍ଥା ରହିଛି । ଭିଡ଼ ହିଂସା ଘଟଣା ପରି ୫ଜଣ କିମ୍ବା ତାଠାରୁ ଅଧିକ ବ୍ୟକ୍ତି ଜାତି କିମ୍ବା ସଂପ୍ରଦାୟ ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ ଏବଂ ଅନ୍ୟ କୌଣସି ସମାନ ଆଧାରରେ ହତ୍ୟା କରନ୍ତି ତେବେ ସେହି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ଜରିମାନା ମଧ୍ୟ ଦେବାକୁ ପଡିବ ।
ଆସନ୍ତୁ ଜାଣିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଷୟରେ
ଜଣେ ଅଭିଯୁକ୍ତଙ୍କୁ କେମିତି ଗିରଫ କରାଯିବ, ମାମଲାର କେମିତି ତଦନ୍ତ ହେବ, ଅପରାଧୀକୁ କିପରି ଜାମିନ୍ ମିଳିବ, କେମିତି ମାମଲାର ବିଚାର ହେବ, ଏହି ସବୁ ସୂଚନା ଆମକୁ ଆପରାଧିକ ଦଣ୍ଡ ସଂହିତା-ସିଆରପିସି-୧୯୭୩ରୁ ସୂଚନା ମିଳେ । ହେଲେ ଏହି ଆଇନର ସ୍ଥାନ ଏବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ନେବାକୁ ଯାଉଛି । ସିଆରପିସିରେ ୪୮୪ଟି ଧାରା ଥିବାବେଳେ ଏବେ ନୂଆ ଆଇନ୍ ବିଏନଏସଏସରେ ୫୩୧ଟି ଧାରା ରଖାଯାଇଛି । ଏହି ଆଇନରେ ବିଚାରାଧୀନ କଏଦୀଙ୍କ ପାଇଁ ଏକ ସଂସ୍କାର ଅଣାଯାଇଛି । ଯେଉଁ ବିଚାରାଧୀନ କଏଦୀମାନେ ପ୍ରଥମ ଥର ଅପରାଧ କରି ଜେଲରେ ରହୁଥିବେ, ସେମାନେ ତାଙ୍କର ସର୍ବାଧିକ ଦଣ୍ଡର ଏକ ତୃତୀୟାଂଶ ଦଣ୍ଡ ଭୋଗିବା ପରେ ଜାମିନ୍ ପାଇପାରିବେ । ହେଲେ ଯେଉଁ ଅପରାଧୀ ଆଜୀବନ କାରାଦଣ୍ଡ ଭୋଗିବାକୁ ଥିବ ତାକୁ ଜାମିନ୍ ମିଳିପାରିବ ନାହିଁ । ଏକାଧିକ ମାମଲାରେ ସଂପୃକ୍ତ ଥିବା ବିଚାରାଧୀନ କଏଦୀଙ୍କୁ ମଧ୍ୟ ଜାମିନ୍ ମିଳିବା କଷ୍ଟକର ହେବ ।
ଏହି ଆଇନରେ ତଦନ୍ତ ବ୍ୟବସ୍ଥାରେ ମଧ୍ୟ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ୭ବର୍ଷ କିମ୍ବା ତାଠାରୁ ଅଧିକ ଦଣ୍ଡ ଥିବା ଆପରାଧିକ ମାମଲାର ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ କରାଯାଇଛି । ଏହାସହ ଫରେନସିକ୍ ବିଶେଷଜ୍ଞମାନେ ଅପରାଧ ଘଟିଥିବା ଘଟଣାସ୍ଥଳକୁ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରିବେ । ଯଦି ନିଜ ରାଜ୍ୟରେ ଫରେନସିକ୍ ସୁବିଧା ନାହିଁ ତା ହେଲେ ସେମାନେ ଅନ୍ୟ ରାଜ୍ୟର ଫରେନସିକ୍ ଲ୍ୟାବର ସୁବିଧା ନେଇପାରିବେ ବୋଲି ଆଇନରେ ଉଲ୍ଲେଖ ରହିଛି । ସେହିପରି ଏହି ନୂଆ ଆଇନରେ ଆଇନଗତ ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରୀ ରିପୋର୍ଟ ୭ଦିନ ମଧ୍ୟରେ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି କୋର୍ଟରେ ମାମଲାର ଯୁକ୍ତି ଶେଷ ହେବାର ୩୦ ଦିନ ମଧ୍ୟରେ ରାୟ ଶୁଣାଇବାକୁ ହେବ । ଯାହାକି ୬୦ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହାସହ ପୀଡିତାଙ୍କୁ ୯୦ଦିନ ମଧ୍ୟରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି ।
ଭାରତୀୟ ସାକ୍ଷୀ ଅଧିନିୟମ କ’ଣ
ଅପରାଧ ଘଟିଥିବା ଘଟଣାସ୍ଥଳରୁ କେଉଁ ପ୍ରକାର ତଥ୍ୟ ପ୍ରମାଣ ସଂଗ୍ରହ କଲେ ତାହା କୋର୍ଟରେ ଗ୍ରହଣୀୟ ହେବ, ସେ ସମ୍ପର୍କରେ ଆମକୁ ଭାରତୀୟ ସାକ୍ଷ୍ୟ ଆଇନ-୧୮୭୨ରୁ ଜାଣିବାକୁ ମିଳେ । ତେବେ ବ୍ରିଟିଶ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ଏହି ଆଇନର ସ୍ଥାନ ନେବାକୁ ଯାଉଛି ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୨୩ (ବିଏସଏ) । ଭାରତୀୟ ପ୍ରମାଣ ଆଇନରେ ୧୬୭ଟି ଧାରା ଥିବାବେଳେ ନୂଆ ଆଇନରେ ୧୭୦ଟି ଧାରା ରହିଛି । ଏହି ନୂଆ ଆଇନରେ ଟେକ୍ନୋଲୋଜିକାଲ ତଥ୍ୟପ୍ରମାଣକୁ ଗୁରୁତ୍ୱ ଦିଆଯାଇଛି । ମାମଲା ସମ୍ପର୍କିତ ତଥ୍ୟ ପ୍ରମାଣ ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ ଜରିଆରେ କୋର୍ଟରେ ଗ୍ରହଣୀୟ ହେବ ବୋଲି କୁହାଯାଇଛି । ଏହି ଆଇନରେ ପ୍ରାଇମେରି ଏଭିଡେନ୍ସ ଏବଂ ସେକେଣ୍ଡାରୀ ଏଭିଡେନ୍ସ ସମ୍ବନ୍ଧରେ ଦୁଇଟି ବଡ ପରିବର୍ତ୍ତନ କରାଯାଇଛି । ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୨୩ର ଧାରା ୫୭ରେ ଇଲେକ୍ଟ୍ରୋନିକ୍ସ ପ୍ରମାଣ ଏବଂ ଡିଜିଟାଲ ରେକର୍ଡକୁ କିଭଳି ପ୍ରାଇମେରି ଏଭିଡେନ୍ସ ଭାବେ ବିବେଚନା କରାଯିବ ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି ।
Comments are closed.