ଜନମୁଖରୁ ହଜିଯିବ ‘ଚାର୍‌ଶୋ ବିଶ୍‌’

ନୂଆଦିଲ୍ଲୀ : ଆଇନ ବଦଳିବା ସହ ଏହାକୁ ନେଇ କେତେକ କୌତୂହଳପ୍ରଦ ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ସର୍ବାଧିକ ଚର୍ଚ୍ଚାକୁ ଆସିଛି ପୁରୁଣା ଆଇପିସି ଧାରା-୪୨୦ (ଚାର୍‌ଶୋ ବିଶ୍‌)। ସାଧାରଣତଃ ଠକେଇ, ଜାଲିଆତି ଏବଂ ଆତ୍ମସାତ୍‌ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୨୦ ଲାଗୁ କରାଯାଉଥିଲା। ବର୍ତ୍ତମାନ ଏଭଳି ଅପରାଧ ପାଇଁ ଧାରା ୩୧୮କୁ କାର୍ଯ୍ୟକାରୀ କରାଯିବ। ସାଧାରଣରେ ୪୨୦ ଧାରାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ତାହାର ପରିସମାପ୍ତି ଘଟିଛି। ଆଗକୁ ବହୁଚର୍ଚ୍ଚିତ ‘ଚାର୍‌ଶୋ ବିଶ୍‌’ ଆପ୍ତବାକ୍ୟ ଜାରି ରହିବ ନାଁ ଜନମୁଖରୁ ହଜିଯିବ ତାହାକୁ ନେଇ ସବୁ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଧାରା-୪୨୦ ଅନୁଯାୟୀ ଦଣ୍ଡିତ ହୋଇନଥିଲେ ସୁଦ୍ଧା ସମାଜରେ ଯଦି କୌଣସି ବ୍ୟକ୍ତିଙ୍କର ଏଭଳି ଚରିତ୍ର ପରିଲକ୍ଷିତ ହୋଇଥାଏ; ତେବେ ଲୋକେ ତାଙ୍କୁ ୪୨୦ ବୋଲି କହିଥାନ୍ତି। ଲୋକଙ୍କ ଦୈନନ୍ଦିନ ଜୀବନରେ ୪୨୦ ଶବ୍ଦ ପ୍ରାୟତଃ ଶୁଣିବାକୁ ମିଳିଥାଏ। ଏପରିକି ଏହି ଧାରାକୁ ନେଇ ୧୯୫୫ ମସିହାରେ ସ୍ବର୍ଗତ ରାଜ କପୁରଙ୍କ ଦ୍ବାରା ନିର୍ମିତ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ଶ୍ରୀ ୪୨୦’କୁ ଲୋକେ ଏପର୍ଯ୍ୟନ୍ତ ମନେ ରଖିଛନ୍ତି। ୧୯୯୭ରେ କମଲ ହାସାନ ଅଭିନୀତ ‘ଚାଚି ୪୨୦’ ମଧ୍ୟ ଏହି ଧାରା ଉପରେ ପର୍ଯ୍ୟବସିତ ଥିଲା। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତିଙ୍କର ଠକାମୀ ଚରିତ୍ର ଲୋକଲୋଚନକୁ ଆସେ, ତାହାହେଲେ ତାଙ୍କୁ କ’ଣ ୩୧୮ ବୋଲି ସମ୍ବୋଧନ କରାଯିବ? ରାଜ କପୁରଙ୍କ ଚଳଚ୍ଚିତ୍ର ‘ଶ୍ରୀ ୪୨୦’କୁ କ’ଣ ‘ଶ୍ରୀ ୩୧୮’ ନାମରେ ପୁନଃନାମିତ କରାଯିବ କି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ୧୬୪ ବର୍ଷ ପରେ ଧାରା ୪୨୦ର ବିଲୋପ ଘଟଣାକୁ ଆଇନଜୀବୀ ମହଲ ଓ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ତିନିଟି ନୂଆ ଫୌଜଦାରୀ ଆଇନକୁ ସୋମବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ଆଇନର ନାମକରଣ ସହ ବିଭିନ୍ନ ଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ୧୮୬୦ରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ପକ୍ଷରୁ ଆଇପିସି (ଭାରତୀୟ ପିଙ୍ଗଳ କୋଡ୍‌) ପ୍ରଚଳନ କରାଯାଇଥିଲା। ବର୍ତ୍ତମାନ ଏହା ଭାରତୀୟ ନ୍ୟାୟ ସଂହିତା ଭାବେ ପରିଚୟ ପାଇଛି। ଧାରା-୪୨୦ ଭଳି ଆଉ କେତେକ ଧାରାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.