ବୁଦାପେଷ୍ଟ: ଭାରତୀୟ କ୍ରୀଡ଼ାରେ ପୁଣି ନୂତନ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ଜିତିଥିବା ନୀରଜ ପ୍ରଥମ ଭାରତୀୟ ଭାବେ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ରବିବାର ଏଠାରେ ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ହାସଲ କରିଛନ୍ତି। ପୂର୍ବରୁ କୌଣସି ଭାରତୀୟ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ସ୍ବର୍ଣ୍ଣପଦକ ଜିତିନଥିଲେ। ୨୦୦୫ରେ ଅଞ୍ଜୁ ବବି ଜର୍ଜ କାଂସ୍ୟ ପଦକ ଜିତିଥିବା ବେଳେ ଗତବର୍ଷ ନୀରଜ ଚୋପ୍ରା ଦେଶ ପାଇଁ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ପ୍ରଥମ ରୌପ୍ୟପଦକ ଜିତିଥିଲେ। ହେଲେ ଏଥର ନୀରଜ ଆଉ ପାଦେ ଆଗେଇ ଯାଇ ସ୍ବର୍ଣ୍ଣପଦକ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି। ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିବା ବେଳେ ୨ୟ ପ୍ରୟାସରେ ୮୮.୧୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ।
ଯୋଗ୍ୟତା ପର୍ଯ୍ୟାୟରେ ସର୍ବାଧିକ ଦୂରତା ହାସଲକରି ଫାଇନାଲରେ ପହଞ୍ଚିଥିବା ନୀରଜ ଚୋପ୍ରା ସ୍ବର୍ଣ୍ଣପଦକ ଜିତିବା ପାଇଁ ବଡ଼ ଦାବିଦାର ଥିଲେ। ତାଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିବା ବେଳେ ୨ୟ ପ୍ରୟାସ ନିର୍ଣ୍ଣାୟକ ହୋଇଥିଲା। ଏଥିରେ ୮୮.୧୭ ମିଟର ଦୂରତା ହାସଲକରି ନୀରଜ ଏକାଥରକେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇ ଯାଇଥିଲେ। ପାକିସ୍ତାନର ଅର୍ସଦ ନଦିମ୍ ୩ୟ ପ୍ରୟାସରେ ୮୭.୮୨ ମିଟର ଦୂରତା ହାସଲକରି ନୀରଜଙ୍କୁ ଚାପରେ ପକାଇଥିଲେ। ହେଲେ ନୀରଜ
ତାଙ୍କର ପରବର୍ତ୍ତୀ ୪ଟି ପ୍ରୟାସରେ ୮୬.୩୨ ମିଟର, ୮୪.୬୪, ୮୭.୭୩ ଓ ୮୩.୯୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପାରିଥିଲେ। ଅର୍ସଦ ନଦିମ୍ ସମସ୍ତ ପ୍ରୟାସ କରିବା ସତ୍ତ୍ବେ ନୀରଜଙ୍କ ୮୮.୧୭ ମିଟର ଦୂରତାକୁ ଅତିକ୍ରମ କରି ପାରିନଥିଲେ। ୮୭.୮୨ ମିଟର ସହ ନଦିମ୍ ରୌପ୍ୟପଦକ ଜିତିଥିଲେ। ୫ମ ପ୍ରୟାସରେ ୮୬.୬୭ ମିଟର ଦୂରତା ହାସଲକରି ଚେକ୍ ଗଣରାଜ୍ୟର ୟାକୁବ୍ ଭାଦ୍ଲେଜ୍ କାଂସ୍ୟପଦକ ହାସଲ କରିଥିଲେ। ସମସ୍ତଙ୍କ ନଜର ଥିଲା ପ୍ରଥମ ଓଡ଼ିଆ ଭାବେ ଫାଇନାଲରେ ପହଞ୍ଚି ଇତିହାସ ରଚିଥିବା କିଶୋର କୁମାର ଜେନାଙ୍କ ଉପରେ। ବିଶ୍ବ କ୍ରୀଡ଼ାର ଏତେ ବଡ଼ ମଞ୍ଚରେ କିଶୋର ନିରାଶ କରିନଥିଲେ। କିଶୋର ତାଙ୍କ ୫ମ ପ୍ରୟାସରେ ଜୀବନର ଶ୍ରେଷ୍ଠ ଦୂରତା ହାସଲକରି ୮୪.୭୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ। ଶେଷରେ କିଶୋର ସମସ୍ତଙ୍କ ହୃଦୟ ଜୟକରି ୧୨ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଥିଲେ; ଯାହା ବେଶ୍ ପ୍ରଶଂସନୀୟ। ଅନ୍ୟ ଭାରତୀୟ ଡି.ପି. ମନୁ ଶେଷ ପ୍ରୟାସରେ ୮୪.୧୪ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ୬ଷ୍ଠ ସ୍ଥାନରେ ରହିଥିଲେ। ଅଲିମ୍ପିକ୍ସ ସ୍ବର୍ଣ୍ଣପଦକ ସହ ବିଶ୍ବ ଚମ୍ପିଆନ୍ ନୀରଜ ଚୋପ୍ରା ପୂର୍ବରୁ କନିଷ୍ଠ ବିଶ୍ବ ଚମ୍ପିଆନ୍ସିପ୍, ଏସୀୟ ଚମ୍ପିଆନ୍ସିପ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଓ ଡାଏମଣ୍ଡ୍ ଲିଗ୍ରେ ମଧ୍ୟ ସ୍ବର୍ଣ୍ଣପଦକ ଜିତିଥିଲେ। ବିଶ୍ବ ଚମ୍ପିଆନ୍ ହୋଇ ନୀରଜ ଏବେ ବିଶ୍ବର ସର୍ବଶ୍ରେଷ୍ଠ ଜାଭେଲିନ୍ ଥ୍ରୋଅର ହୋଇ ପାରିଛନ୍ତି। ନୀରଜଙ୍କ ଏପରି କୃତିତ୍ବ ପରେ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ରିଲେ ଦଳ ୫ମ; ପାରୁଲ ୧୧ଶ
ଭାରତୀୟ ପୁରୁଷ ୪ ଗୁଣା ୪୦୦ ରିଲେ ଦଳ ଫାଇନାଲରେ ୫ମ ସ୍ଥାନରେ ରହିଛି। ରାଜେଶ ରମେଶ, ମହମ୍ମଦ ଆଜ୍ମଲ, ଅମୋଲ ଜାକବ୍ ଓ ମହମ୍ମଦ ଅନାସ୍ ୟାହିୟାଙ୍କୁ ନେଇ ଗଠିତ ଭାରତୀୟ ଦଳ ୨ ମିନିଟ୍ ୫୯.୯୨ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହିଥିଲେ। ଆମେରିକା ସ୍ବର୍ଣ୍ଣ, ଫ୍ରାନ୍ସ ରୌପ୍ୟ ଓ ଗ୍ରେଟ୍ ବ୍ରିଟେନ୍ କାଂସ୍ୟପଦକ ଜିତିଥିଲେ। ମହିଳା ୩୦୦୦ ମିଟର ଷ୍ଟିପ୍ଲଚେଜ୍ ଫାଇନାଲରେ ଭାରତର ପାରୁଲ ଚୌଧୁରୀ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ହେଁ ପଦକଠାରୁ ବହୁତ ଦୂରରେ ରହି ଯାଇଥିଲେ। ପାରୁଲ ୯ ମିନିଟ୍ ୧୫.୩୧ ସେକେଣ୍ଡ ସମୟ ନେଇ ୧୧ଶ ସ୍ଥାନରେ ରହିଥିଲେ।
ନୀରଜଙ୍କୁ ଐତିହାସିକ ସ୍ବର୍ଣ୍ଣ
Popular Categories



