www.samajalive.in
Wednesday, December 10, 2025
18.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ

କଟକ/ଭୁବନେଶ୍ବର :  ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ । ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ କବି ଶ୍ରୀ ମହାପାତ୍ରଙ୍କ ତିନିକୋଣିଆବଗିଚାସ୍ଥିତ ବାସଭବନରେ ମରଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ। ପରେ ଗାର୍ଡ଼ ଅଫ୍‌ ଅନର୍‌ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସୂଚନାଯୋଗ୍ୟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦ୍ବିଭାଷିକ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ମେଡିକାଲ ଭେଷଜ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ। ରବିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ରାତି ପ୍ରାୟ ୯ଟାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କବି ମହାପାତ୍ର ୧୯୨୮ ମସିହା ଅକ୍ଟୋବର ୧୧ରେ ପିତା ସାମୁଏଲ ମହାପାତ୍ର ଓ ମାତା ସୁଧାଂଶୁବାଳା ଦାସଙ୍କ ଔରସରୁ ତିନିକୋଣିଆ ବଗିଚାରେ ଜନ୍ମଗ୍ରହଣ କରିଥିଲେ। ଷ୍ଟିୱାର୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରେଭେନ୍ସା କଲେଜରେ ସ୍ନାତକ ଓ ପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ରେଭେନ୍ସା ସମେତ ଗଙ୍ଗାଧର ମେହେର ଓ ବିଜେପି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟନିର୍ବାହ କରିଥିଲେ। ୧୯୮୬ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅଧ୍ୟାପନା ସହିତ ଇଂରାଜୀ ସାହିତ୍ୟରେ ତାଙ୍କର ବିଶେଷ ରୁଚି ରହିଥିଲା।
ଏକଧାରରେ ଅନୁବାଦକ, ପତ୍ରିକା ସମ୍ପାଦକ, ସମାଲୋଚକ ଭାବେ ଜୟନ୍ତଙ୍କ ସୁଖ୍ୟାତି ଥିଲା। ଓଡ଼ିଶାରେ ଜନ୍ମିତ କବିଙ୍କ ମଧ୍ୟରେ ସେ ହିଁ ଏକମାତ୍ର କବି ଥି​‌େ​‌ଲ ଯିଏ ଇଂରାଜୀରେ କବିତା ରଚନା କରି ବିଶ୍ବସ୍ତରରେ ଅଧିକ ସ୍ବୀକୃତି ଲାଭ କରିଥିଲେ। ଇଂରାଜୀ କବିତା ପୁସ୍ତକ ଭାବେ ‘ରିଲେସନସିପ୍‌’ ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଥିଲା। ତାଙ୍କ ଇଂରାଜୀ କବିତା ପୁସ୍ତକ ମଧ୍ୟରେ ରହିଛି କ୍ଲୋଜ ଦ ସ୍କାଏ, ଟେନ୍‍ ବାଏ ଟେନ୍‍, ସ୍ୱୟମ୍ବର ଆଣ୍ଡ ଅଦର ପଏମ୍‍ସ, ଏ ଫାଦର୍ସ ଆୱାର, ଏ ରେନ୍‍ ଅଫ୍‍ ରାଇଟ୍‍ସ୍‍, ୱେଟିଂ, ଦ ଫଲ୍ସ ଷ୍ଟାର୍ଟ, ରିଲେସନସିପ୍‍, ଲାଇଫ୍‍ ସାଇନ୍‍ସ(୧୯୮୩), ଡିସ୍‍ପୋଜେସ୍‍ ନେଷ୍ଟସ୍‍, ସିଲେକଟେଡ ପୋଏମ୍‍ସ), ବର୍ଡନ ଅଫ୍‍ ୱେଭେସ୍‍ ଆଣ୍ଡ ଫ୍ରୁଟ, ଟେମ୍ପଲ, ଏ ହ୍ୱାଇଟ୍‍ନେସ୍‍ ବୋନ୍‍, ଦ ବେଷ୍ଟ ଅଫ୍‍ ଜୟନ୍ତ ମହାପାତ୍ର, ସାଡୋ ସ୍ପେସ୍‍, ବେର୍‍ ଫେସ୍‍, ରାନଡମ୍‍ ଡିସେଣ୍ଟ, ଦ ଲାଇ ଅଫ୍‍ ଡନ୍‍ସ୍‍ : ପୋଏମ୍‍ସ, ଲ୍ୟାଣ୍ଡ(୨୦୧୩), ହେଜିଟାଣ୍ଡ ଲାଇଟ୍‍, କଲେକଟେଡ ପୋଏମସ୍‍, ସ୍କାଏ ୱିଥ୍‍ଆଉଟ ସ୍କାଏ । ତାଙ୍କ ରଚିତ ଓଡ଼ିଆ କବିତା ପୁସ୍ତକ ବଳି, କହିବି ଗୋଟିଏ କଥା, ବାୟାରଜା, ଟିକିଏ ଛାଇ, ଚାଲି, ଯଦିବା ଗପଟିଏ, କେବଳ ଭାଗ୍ୟ ହିଁ ମୋତେ ଜୀବନ ଦିଏ ଓ କବିତା ସମଗ୍ର ତାଙ୍କ କାବ୍ୟ ସାଧନାର ଉଲ୍ଲେଖନୀୟ ଫସଲ।

- Advertisement -

ଓଡ଼ିଶାର ମାଟି ଓ ମଣିଷର କଥା ତାଙ୍କ କବିତାରେ ଅନୁରଣିତ। ନିଜ ଚାରିପାଖର ମଣିଷ ବିଶେଷକରି ତଳସ୍ତରର ଲୋକଙ୍କ କଥାକୁ ଖୁବ୍‌ ସମ୍ବେଦନଶୀଳ ଓ ମାନବିକତାର ପରିଭାଷାରେ ସେ ଚିତ୍ରଣ କରିଛନ୍ତି। ଦଳିତ ଓ ନିଷ୍ପେଷିତ ଚରିତ୍ରକୁ ସେ ତାଙ୍କ କବିତାରେ ମର୍ଯ୍ୟାଦା ଦେଇଛନ୍ତି। ରାଜୁ ସୁଇପର ଏହାର ଏକ ନିଦର୍ଶନ। ଓଡ଼ିଆ ଅସ୍ମିତା, ଓଡ଼ିଶାର ସଂସ୍କୃତିକୁ ସାରା ବିଶ୍ବରେ ପରିଚିତ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ।
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମେୀ ପକ୍ଷରୁ ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଏକାଡେମୀ ଫେଲୋ’, ଗଙ୍ଗାଧର ଜାତୀୟ ପୁରସ୍କାର, ରାମକୃଷ୍ଣ ଜୟଦୟାଲ ହାର୍‍ମୋନି ଆୱାର୍ଡ, ଭୈକୋମ ମହମ୍ମଦ ବାସିର ଚେୟାର, ବିଷୁବ ପୁରସ୍କାର ପାଇଛନ୍ତି। ୨୦୦୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ। ସେହିପରି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଉତ୍କଳ ରତ୍ନ ଓ ରେଭେନ୍ସା ପକ୍ଷରୁ ତାଙ୍କୁ ରେଭେନ୍ସା ରତ୍ନ ପ୍ରଦାନ କରାଯାଇଥିଲା।
ତାଙ୍କ ବିୟୋଗରେ ବିଧାୟକ ଇଂ ମହମ୍ମଦ ମୋକିମ, ମେୟର ସୁବାସ ସିଂହ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚାନ୍ଦ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ ପ୍ରଭାକର ସ୍ବାଇଁ, ସାହିତ୍ୟିକ ସଞ୍ଜିତ ପଟ୍ଟନାୟକ, ବିଜୟାନନ୍ଦ ସିଂହ, କଟକ ମହାନଗର ନାଗରିକ ମହାସଭାର ସଭାପତି ଡା. ରବିରଞ୍ଜନ ସାହୁ, ଡ. ସତ୍ୟ ରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବରୁ ତାଙ୍କ ପତ୍ନୀ ରୁନୁ ମହାପାତ୍ର ଓ ଏକମାତ୍ର ପୁତ୍ର ମୋହନଙ୍କ କ୍ୟାନସରରେ ମୃତ୍ୟୁ ଘଟିଥିଲା।
ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକବାର୍ତ୍ତାରେ ସ୍ବର୍ଗତ ମହାପାତ୍ରଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ଏବଂ କବି ଭାବେ ବର୍ଣ୍ଣନା କରିଛନ୍ତି। ସେ ଉଭୟ ଇଂରାଜୀ ଏବଂ ଓଡ଼ିଆ ସାହିତ୍ୟରେ ଧୂରୀଣ ଥିଲେ। ସେ ସଫଳତାର ସହ ଓଡ଼ିଆ ସାହିତ୍ୟକୁ ପରିବ୍ୟାପ୍ତ କରିଥିଲେ। ଇଂରାଜୀ ସାହିତ୍ୟ ଲେଖିବା ପାଇଁ ତାଙ୍କ ବୁଦ୍ଧି ଏବଂ ଜ୍ଞାନ ବହୁ ଯୁବପିଢ଼ିଙ୍କ ମାର୍ଗଦର୍ଶକ ଥିଲା। ଦୈନନ୍ଦିନ ଜୀବନ ବିଷୟରେ ତାଙ୍କ ଲେଖାର ଉଜ୍ଜ୍ୱଳ ଛବି ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୋମବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଏହି ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ। ତାଙ୍କ ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ। କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତୀ। ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ବଳ ପ୍ରତିଭାଙ୍କୁ ହରାଇଲା।
ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ସ୍ୱର୍ଗତ ମହାପାତ୍ର କେବଳ ରାଜ୍ୟ ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ। ଇଂରାଜୀରେ ଲିଖିତ ତାଙ୍କର କବିତା ପୁସ୍ତକ ସାହିତ୍ୟ ଏକାଡେମି ପୁରସ୍କାର ପାଇବା ସହିତ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନେକ ପୁରସ୍କାର ପାଇ ସେ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ତାଙ୍କର ମୃତ୍ୟୁ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories