ନୂଆଦିଲ୍ଲୀ : ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଧ୍ୟାତ୍ମିକ ଗୁରୁ କହୁଥିବା ଆତ୍ମଘୋଷିତ ଅଧ୍ୟାତ୍ମିକ ଗୁରୁ କଥକ ସମ୍ରାଟ ପୁଲକିତ ମହାରାଜା ଓରଫ ପୁଲକିତ ମିଶ୍ରଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ୍ ଶୁକ୍ରବାର ରୋହିଣୀ ସେକ୍ଟର-୧୮ରୁ ଗିରଫ କରିଛି। ପ୍ରକାଶଯୋଗ୍ୟ ଯେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଗୁରୁ କହି ପୁଲକିତ ମିଶ୍ର ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ସୁରକ୍ଷା ଏବଂ ଭିଆଇପି ସୁବିଧା ମାଗୁଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରୁ ଏନେଇ ଅଭିଯୋଗ ଆସିବା ପରେ ଗତ ଅଗଷ୍ଟ ମାସରେ ମାମଲା ରୁଜୁ ହୋଇଥିଲା। ପୁଲିସ୍ ମାମଲାକୁ ଆଧାର କରି ତଦନ୍ତ କରିବା ପରେ ବହୁ ରହସ୍ୟ ପଦାକୁ ଆସିଥିଲା। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଥକ ସମ୍ରାଟ ପୁଲକିତ ମହାରାଜା ଦିଲ୍ଲୀ ବାହାରେ କୌଣସି ରାଜ୍ୟକୁ ଯିବା ସମୟରେ କେନ୍ଦ୍ର ସରକାରଙ୍କ ନାମରେ ଏକ ଜାଲ ଇମେଲ ସେହି ରାଜ୍ୟକୁ ପଠାଉଥିଲେ। ଏହି ଇମେଲରେ ଦର୍ଶାଯାଉଥିଲା ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ଦେଶର ଜଣାଶୁଣା କଥକ ମହାରାଜା ସେହି ରାଜ୍ୟ ଗସ୍ତରେ ଆସୁଛନ୍ତି। ତେଣୁ ତାଙ୍କୁ ରାଜ୍ୟ ଅତିଥି ଭଳି ଭିଆଇପି ସୁବିଧା ପ୍ରଦାନ କରାଯାଉ ଓ ତାଙ୍କ ପାଇଁ ଭିଆଇପି ସୁରକ୍ଷା ବ୍ୟବସ୍ଥା କରାଯାଉ। ପୁଲକିତ ମହାରାଜା ଏଭଳି ଅନେକ ସୁବିଧା ହାସଲ କରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ପଚରାଉଚୁରା ପରେ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବ ବୋଲି କୁହାଯାଇଛି।
Popular Categories



