ଦୁଇ ପୁଅ ସହ ଗ୍ରାମରକ୍ଷୀଙ୍କୁ ଉଦ୍ଧାର କଲା ପୁଲିସ

0

ଦଶପଲ୍ଲା  : ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ବାଣିଗୋଛା ଥାନା ଅନ୍ତର୍ଗତ ଦୁଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ଏକ ହତ୍ୟା ଘଟଣାରେ ସନ୍ଦେହ କରି ଗୋଟିଏ ପରିବାରର ବାପ-ପୁଅ ୩ଜଣଙ୍କୁ ଅଟକ ରଖି ମାଡ଼ ମାରିଛନ୍ତି। କେତେକ କଙ୍ଗାରୁ କୋର୍ଟ ଚଲାଇ ଶହ ଶହ ଲୋକଙ୍କ ଉପସ୍ଥିତିରେ ଖୁଣ୍ଟରେ ବାନ୍ଧି ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସମ୍ପର୍କରେ ପୁଲିସରେ ଅଭିଯୋଗ ହୋଇଛି। ଖବର ପାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ବାପ-ପୁଅ ୩ଜଣଙ୍କୁ ଉଦ୍ଧାର କରିଛି।
ପ୍ରକାଶ ଯେ, ଦୁଡ଼ା ଗ୍ରାମର ଯାଜନ ନାଏକ ଦେଢମାସ ପୂର୍ବେ ବୌଦ୍ଧ ଜିଲାରେ ବିବାହ କରିଥିଲେ। ଚଳିତ ମାସ ୯ତାରିଖରେ ଯାଜନ ତାଙ୍କ ଗ୍ରାମର ଗ୍ରାମରକ୍ଷୀ ଦୁର୍ଯ୍ୟୋଧନ ନାୟକଙ୍କ ପୁଅ ବ୍ରହ୍ମାନନ୍ଦଙ୍କ
ସହିତ ସାଙ୍ଗ ହୋଇ ଶ୍ୱଶୁର ଘରକୁ ଯାଇଥିଲେ। ଶ୍ୱଶୁର ଘରକୁ ନଯାଇ ଉଭୟ ବୌଦ୍ଧ ଜିଲାର ମାଧପୁର ଛକରେ ଏକ ହୋଟେଲରେ ଖାଇଥିଲେ। ଏହାପରେ ମୁର୍ମୂଷୁ ଅବସ୍ଥାରେ ମାଧପୁର ଛକଠାରୁ ଦେଢକି.ମି ଦୂରରେ ଯାଜନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଯାଜନକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲ କଲେଜକୁ ନେଉଥିବା ବେଳେ ବାଟରେ ତା’ର ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ଧର୍ମପତ୍ନୀ ଜୟପ୍ରଦା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଗ୍ରାମରକ୍ଷୀ ଦୁର୍ଯ୍ୟୋଧନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ମୃତ ଯାଜନଙ୍କ ପତ୍ନୀ ବାଣିଗୋଛା ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ୱ ଦେଇନଥିଲା। ଫେରାର ବ୍ରହ୍ମାନନ୍ଦ ବୁଧବାର ଗାଁକୁ ଫେରି ଗୁରୁବାର ରାତିରେ ସେ ବଡ଼ପୁଅ ବ୍ରହ୍ମାନନ୍ଦ ଏବଂ ସାନପୁଅକୁ ଡାକି ଗ୍ରାମରେ ବୈଠକ କରିଥିଲେ। ବ୍ରହ୍ମାନନ୍ଦ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହ କରି ଦୀର୍ଘ ସମୟ ଧରି ଗାଁ ଲୋକେ ଦଉଡ଼ିରେ ବାନ୍ଧି ଅଟକ ରଖିଥିଲେ। କଙ୍ଗାରୁ କୋର୍ଟ ଚାଲିଥିବା ଖବର ପାଇ ବାଣିଗୋଛା ଥାନା ଅଧିକାରୀ ଓ ନୟାଗଡ଼ ଏସ୍‍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ଦଶପଲ୍ଲା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ରାଜେଶ କୁମାର ସେଠୀ ଘଟଣାସ୍ଥଳକୁ ଯାଇଥିଲେ। ତ୍ୱରିତ ନ୍ୟାୟ ପାଇବାରେ ବିଫଳ ହେବାରୁ ଗ୍ରାମବାସୀ ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି। ଘଟଣାଟି ବୌଦ୍ଧ ଜିଲାର ଚାରିଛକ ଥାନା ଅଧୀନରେ ଘଟିଥିବା ବେଳେ ମୃତକଙ୍କ ଘର ନୟାଗଡ଼ ଜିଲାର ବାଣିଗୋଛା ଥାନା ଅଞ୍ଚଳରେ ହୋଇଥିବାରୁ ଉଭୟ ଥାନାର ସମନ୍ୱୟ ଅଭାବରୁ ପରିସ୍ଥିତି ଜଟିଳ ରୂପ ଧାରଣ କରିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Leave A Reply