ନୱାଜ୍‍ ସରିଫ୍‍ ବୃକକ୍‍, ହୃଦ୍‍ରୋଗରେ ପୀଡ଼ିତ

0

ଇସ୍‍ଲାମାବାଦ୍‍ : ରାୱଲପିଣ୍ଡିସ୍ଥିତ ଅଡିଆଲା ଜେଲ୍‍ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍ ବୃକକ୍‍ ଓ ହୃଦ୍‍ରୋଗରେ ପୀଡ଼ିତ। ରବିବାର ରାତିରେ ସେ ଉଚ୍ଚ ରକ୍ତଚାପର ଶିକାର ହେବା ସହିତ ଛାତିରେ ପ୍ରବଳ ଯନ୍ତ୍ରଣା ଅଭିଯୋଗ କରିଥିଲେ। ତୁରନ୍ତ ତାଙ୍କୁ କାରାଗାରରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେନା ଦ୍ୱାରା ପରିଚାଳିତ ରାୱଲପିଣ୍ଡି ହୃଦ୍‍ସଂବାହୀ ପ୍ରତିଷ୍ଠାନର ଅବସରପ୍ରାପ୍ତ ମେଜର ଜେନେରାଲ ଡାକ୍ତର ଅଝାର ମେହମ୍ମୁଦ କଲ୍ୟାଣୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ସରିଫ୍‍ଙ୍କ ଉପଚାର ଜାରି ରଖିଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ ଗତ ୧୦ ଦିନ ହେବ କାରାଗାରରେ ବନ୍ଦୀ ଥିବା ସରିଫ୍‍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ତାଙ୍କ ଶରୀରରେ ଜଳୀୟଅଂଶ ହ୍ରାସ ପାଇଥିବାରୁ ହୃତ୍‍ସ୍ପନ୍ଦନ ଉପରେ ପ୍ରଭାବ ପଡୁଛି। ଏଥିସହ ତାଙ୍କ ରକ୍ତରେ ୟୁରିଆ ପରିମାଣ ବୃଦ୍ଧି ପାଇଥିବାରୁ ବୃକକ୍‍ ସମସ୍ୟା ଉପୁଜିଛି। ଏପରିକି ବୃକକ୍‍ ଅକାମୀ ହୋଇପଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କାରାଗାରରେ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ବୋଲି ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

Leave A Reply