ଜଳପଥ ଦେଇ ଆକ୍ରମଣ କରିପାରେ ଜୈସ୍: ନୌସେନା ମୁଖ୍ୟ
ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଭାରତରେ ସାମୁଦ୍ରିକ ପଥରେ ଆକ୍ରମଣ ଯୋଜନା କରୁଛି ଏବଂ ଏଥିପାଇଁ ଏହାର ସଦସ୍ୟଙ୍କୁ ତାଲିମ ଦେଉଛି। ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିବା ପରେ ନୌବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀ ଯେମିତି କୌଣସି ଜଳପଥ ଦେଇ ଦୁଃସାହସ ନ କରନ୍ତି ସେଥିନେଇ ନୌବାହିନୀର ଯବାନଙ୍କୁ ସତର୍କ କରିଦିଆଯାଇଛି।
ସେମାନେ ଏଥିନେଇ ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ନୌବାହିନୀ ମୁଖ୍ୟ ଆଡମିରାଲ କରମବୀର ସିଂହ। ସୋମବାର ପୁଣେଠାରେ ଏକ ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ଆଡମିରାଲ ସିଂହ କହିଛନ୍ତି ଯେ ‘ଜୈସ୍ ଆତଙ୍କବାଦୀ ଭାରତରେ ଜଳପଥ ଦେଇ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ସମ୍ପର୍କିତ ଗୁଇନ୍ଦା ରିପୋର୍ଟ ନୌବାହିନୀର ହସ୍ତଗତ ହୋଇଛି; କିନ୍ତୁ ଆମେ ଏହି ଯୋଜନାକୁ ସଫଳ କରାଇ ନ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଏଭଳି ଯେକୌଣସି ଆକ୍ରମଣ ପ୍ରତିହତ ପାଇଁ ଆମେ ସମର୍ଥ ଥିବାର ପ୍ରତିଶ୍ରୁତି ଦୋବାସୀଙ୍କୁ ପ୍ରଦାନ କରୁଛୁ।’ ଆଡମିରାଲ ସିଂହ କହିଛନ୍ତି ଯେ ମୁମ୍ବଇରେ ୨୦୦୮ ନଭେମ୍ବର ୨୬ (୨୬/୧୧) ଆତଙ୍କବାଦୀ ଆକମ୍ରଣ ପରେ ନୌବାହିନୀ ଓ ତଟରକ୍ଷୀବାହିନୀ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ଦିଗରେ ଯତ୍ନବାନ ହୋଇଛି। ବିଭିନ୍ନ ଅଞ୍ଚଳରେ ମୁତୟନ ସାମୁଦ୍ରିକ ପୁଲିସ ମଧ୍ୟରେ ଏଥିରେ ସହାୟତା କରୁଛି। ଏଭଳି କ୍ଷେତ୍ରରେ ସମୁଦ୍ର ବକ୍ଷରୁ ଯେ କୌଣସି ବିପଦର ମୁକାବିଲା ସମ୍ଭବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ କି ଗତ ମଙ୍ଗଳବାର ବିମାନବାହିନୀ ମୁଖ୍ୟ ମାର୍ଶାଲ ବି.ଏସ୍ ଧାନୋଆ ମଧ୍ୟ ଏଭଳି ଯେକୌଣସି ବିପଦର ମୁକାବିଲା ପାଇଁ ବିମାନବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଭରସା ଦେଇଥିଲେ।
Comments are closed.