‘କୃଷି କ୍ଷେତ୍ରରେ ଜ୍ଞାନକୌଶଳ ଜରିଆରେ ସାମାଜିକ ଓ ଅର୍ଥନୈତିକ ଉନ୍ନତି’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନବରଙ୍ଗପୁର ଜିଲାରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ଜିଲାର ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ଏଥିପାଇଁ ୫.୨୧କୋଟି ଟଙ୍କା ବିନିଯୋଗ ହେବ।

ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ଵ ଦେଇଆସିଛନ୍ତି ଏବଂ ଏଥିପାଇଁ ନୂଆ ନୂଆ ଯୋଜନା ମାନ ହାତକୁ ନିଆଯାଇଛି। ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଏହି ବହୁମୁଖୀ ପାଇଲଟ୍ ପ୍ରକଳ୍ପ ଦ୍ବାରା ଜିଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀମାନଙ୍କର ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ।

prayash

ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ସହିତ କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ଓ ବିକାଶ ସଂସ୍ଥା ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଅଧିକ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ଉନ୍ନତମାନର ଚାରା ଯୋଗାଣ କରାଯାଇ ବ୍ୟବସାୟିକ ନର୍ସରୀ ପ୍ରତିଷ୍ଠା, ମକା, କନ୍ଦମୂଳ, ଦେଶିଆଳୁ ଆାଦି ପନିପରିବା ଫସଲ ଚାଷ, ଲେମନ ଗ୍ରାସ ଓ ହଳଦୀ ପରି ସୁଗନ୍ଧିତ ଦ୍ରବ୍ୟ ଚାଷ ଓ ତୈଳ ଉତ୍ପାଦନ, ଅଗରବନୀ, ମଶାଧୂପ ଆଦି ଦ୍ରବ୍ୟର ଉତ୍ପାଦନ, ଶୁଖିଲା ଫୁଲରୁ ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ଉତ୍ପାଦନ, ଜୈବସାର ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ, ଜଳ ଅମଳ ପ୍ରକଳ୍ପ, ବାଡିବଗିଚାରେ ପନିପରିବା ସହିତ କୁକୁଡା ଓ ମତ୍ସ୍ୟ ଚାଷ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହିସବୁ କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳର ଉପଯୋଗ କ୍ଷେତ୍ରରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ। କୃଷି ସହିତ ସ୍ବାସ୍ଥ୍ୟ ଓ ପୁଷ୍ଟି ନିରାକରଣ, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ନବରଙ୍ଗପୁରରେ ସାଂସଦ, ବିଧାୟକ ଓଚାଷୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲାର ଦୁଇ ଜଣ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

kalyan agarbati

Comments are closed.