ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ

ପିପିଲି: ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁବାର ପିପିଲିରେ ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ୭ଟାରେ ପିପିଲି ନୋଡାଲ ହାଇସ୍କୁଲ ପଡିଆରୁ ଏକ ବିଶାଳ କ୍ରୀଡା ଶୋଭାଯାତ୍ରା ବାହାରି ପିପିଲି ବଜାର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଲେଫନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ଆନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜୟିନୀ ଓଡିଆ ନୌକ୍ରୀଡାବିତ୍‍ ପ୍ରମୀଳା ପ୍ରଭା ମିଞ୍ଜ, ସୋନାଲି ସ୍ୱାଇଁ ଓ ରିତୁ କୌଡି ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ୧୬ଟି ହାଇସ୍କୁଲର ୬ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ୩ଟି କ୍ରୀଡା ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇଥିଲେ। ଜବାହର ବିଦ୍ୟାପୀଠ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଲେଫନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ପୂର୍ବତନ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହକାରୀ ନିର୍ଦ୍ଦେଶକ ନୀଳମାଧବ ନନ୍ଦ, ପୁରୀ ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ବିଶ୍ୱାଳ, ସାଂସ୍କୃତିକ ପରିଷଦର ମୁଖ୍ୟ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ସଭାପତି ମାଧବ ଚନ୍ଦ୍ର ବୈଠାରୁ, ଇଂଜିନିୟର ରମେଶ ଚନ୍ଦ୍ର ଶତପଥି, ସମାଜସେବୀ ସୁଦର୍ଶନ ମିଶ୍ର, ମୁଖ୍ୟ ସଂଯୋଜକ ଦୀନବନ୍ଧୁ ବେହୁରା ପ୍ରମୁଖ ଧ୍ୟାନଚାନ୍ଦଙ୍କ ସଂପର୍କରେ ଆଲୋକପାତ କରିବା ସହ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ। ଆନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜୟିନୀ ଓଡିଆ ନୌକ୍ରୀଡାବିତ୍‍ ପ୍ରମୀଳା ପ୍ରଭା ମିଞ୍ଜ,ସୋନାଲି ସ୍ୱାଇଁ ଓ ରିତୁ କୌଡିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜ୍ଜନ କରିଥିବା ପିପିଲି ଅଞ୍ଚଳର ୪ଜଣ କ୍ରୀଡାବିତ୍ଙ୍କ ସମେତ ସିନିୟର ନ୍ୟାସନାଲ୍‍ ଗେମ୍ରେନ କୃତିତ୍ୱ ହାସଲ କରିଥିବା ଅଞ୍ଚଳର ୫ଜଣ କ୍ରୀଡାବିତଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଦେଶରେ ଶୁଭାରମ୍ଭ କରାଯାଇଥିବା ‘ଫିଟ୍‍ ଇଣ୍ଡିଆ ମୁଭମେଣ୍ଟ’କୁ ଏହି ଅବସରରେ କ୍ରୀଡାବିତ ମାନଙ୍କୁ ଶପଥପାଠ କରାଯାଇ ପିପିଲିରେ ଶୁଭାରମ୍ଭ କରାଯାଇଥିଲା। ପରିଷଦର ମୁଖ୍ୟ ସଂପାଦକ ଶ୍ରୀ ମହାପାତ୍ର ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିବା ସହ ରାଜ୍ୟରେ କ୍ରୀଡାର ମାନବୃଦ୍ଧି ପାଇଁ ପରିଷଦ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଓ ବହୁ କ୍ରୀଡାବିତ୍‍ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ପରିଷଦର ସଞ୍ଜୟ କୁମାର ମହାନ୍ତି, ହେମନ୍ତ କୁମାର ପ୍ରଧାନ, ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ କୁମାର ଜେନା ପ୍ରମୁଖ ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

kalyan agarbati

Comments are closed.