ଫ୍ରେଣ୍ଡସ କ୍ଲବ ପକ୍ଷରୁ ଜାତୀୟ କ୍ରୀଡା ଦିବସ
ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ କଟକ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହଯୋଗରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସ ଆୟୋଜିତ ସଭାକୁ ସଂଯୋଜନା କରି ଜାତୀୟ କ୍ରୀଡା ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ହକିର ଯାଦୁଗର ପଦ୍ମଭୂଷଣ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥିକୁ ସାରା ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । କ୍ରୀଡାର ଉପକାରିତା ଓ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଆଞ୍ଚଳିକ ଯୁବକ ସଂଘଗୁଡିକର ଅବଦାନ ଏବଂ ଏ ଦିଗରେ ନେହେରୁ ଯୁବକେନ୍ଦ୍ରର ପ୍ରରଣା ଓ ସହଯୋଗକୁ ଉପସ୍ଥିତ କ୍ଲବର ସଦସ୍ୟମାନେ ପ୍ରଶଂସା କରିଥିଲେ। ଉତ୍ତମ ସ୍ୱାସ୍ଥ୍ୟ ତଥା ସୁସ୍ଥ ଜୀବନଯାପନ ପାଇଁ କ୍ରୀଡାର ଆବଶ୍ୟକତା ରହିଛି। ନିୟମିତ ଯୋଗ, ପ୍ରାଣାୟାମ ସହିତ ବିଭିନ୍ନ କ୍ରୀଡା ପ୍ରତି ଯୁବକ ଓ ଛାତ୍ରଛାତ୍ରୀମାନେ କିପରି ଆଗ୍ରହ ପ୍ରକାଶ କରିବେ ସେ ଦିଗରେ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସଭାପତି ଇଂ ଦାସ ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ସଭାପତି ଓ ସଂପାଦକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ପରେ ପରେ ସ୍ଥାନୀୟ କ୍ରୀଡାବିତ୍ ମାନଙ୍କୁ ନେଇ ଦୌଡ, ଉଚ୍ଚଡିଆଁ ଓ ଫୁଟବଲ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କ୍ଲବ ପକ୍ଷରୁ କ୍ରୀଡାବିତ୍ଙ୍କୁ ଖେଳଉପକରଣ ପ୍ରଦାନ କରାଯାଇଥିଲା। କ୍ଲବର ସଂପାଦକ ଭାଷ୍କରଚନ୍ଦ୍ର ବେହେରା, ଉପସଭାପତି ସତ୍ୟାନନ୍ଦ ସାହୁ, ତପନ କୁମାର ସାହୁ, ସଭ୍ୟ ସୂର୍ଯ୍ୟକାନ୍ତ ସେଠୀ, ମଧୁ ସାହୁ, ଚନ୍ଦନ ନାୟକ, ସଂଜିତ ବାରିକ, ମଣ୍ଟୁ ସାହୁ, ସୁଚିତ୍ର ବେହେରା, କାର୍ତ୍ତିକ ବେହେରା ଓ ପ୍ରଦୀପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦୀର୍ଘଦିନ ହେବ କନ୍ଦରପୁରରେ ଥିବା ଏକମାତ୍ର ଖେଳପଡିଆର ଉନ୍ନତିକରଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଥିବାରୁ କ୍ରୀଡାବିତ୍ ଖେଳ ଅଭ୍ୟାସ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କନ୍ଦରପୁର ପଞ୍ଚାୟତରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଜନପ୍ରତିନିଧି, ଗ୍ରାମ ମୁରବୀ, ନେତୃ ସ୍ଥାନୀୟ ବ୍ୟକ୍ତି ଓ କ୍ରୀଡାବିତ୍ ମାନଙ୍କୁ ନେଇ କ୍ଲବ ପକ୍ଷରୁ ଆଲୋଚନା କରାଯିବ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଛି ।
Comments are closed.