ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କ୍ରୀଡା ପରିଷଦ ନିର୍ଦେଶକ ଡ଼. ବିଜୟ କୁମାର ସୁନ୍ଦରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ସିଡ଼ିସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାରୀରିକ ଶିକ୍ଷାର ବିକାଶ ପାଇଁ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଉପଯୋଗୀତା ଓ ବିଶ୍ଵବିଦ୍ୟାଳୟରେ କ୍ରୀଡା ଭିତ୍ତଭୂମିରର ବିକାଶ ତଥା କ୍ରୀଡା ପାଠ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ। ଅଲମ୍ପିଆନ ତଥା ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତଳନକାରି କେ.ରବି କୁମାର, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ତାଙ୍କ ଅନୁଭୂତି ଓ କ୍ରୀଡାର ବିକାଶ ପାଇଁ ତାଙ୍କର ମତାମତ ରଖିଥିଲେ।
ନିଜର ସଂଘର୍ଷ କାହାଣୀରେ କିପରି ୨୦୦୭ ମସିହାରୁ ଜାତୀୟ ସ୍ତରରେ ମାନ୍ୟତା ନଥିଲେ ବି ପରବର୍ତ୍ତୀ ସମୟ ରେ ଆନ୍ତର୍ଜାତୀୟ ସ୍ତରରେ ପଦକ ଜିତି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ କମନ ୱେଲଥ ଗେମ୍ ୨୦୧୦ରେ ସ୍ଵର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିଲେ। ତାହା ଶ୍ରୋତା ମାନଙ୍କୁ ଖୁବ୍ ଉତ୍ସାହିତ କରିଥିଲା। ଅନ୍ୟମାନେ ନିଜ ନିଜର ମତାମତ ସହ ଆଲୋଚନାରେ ଭଗନେଇଥିଲେ। ଏହି ଆଲୋଚନା ଚକ୍ରକୁ ଉପସଭାପତି ଡ଼. କୀର୍ତ୍ତିରଞ୍ଜନ ମଲିକ ପରିଚାଳନା କରିଥିବାବେଳେ ପ୍ରଶାନ୍ତ କୁମାର ମହାନ୍ତି, ବେଣୁଧର ଦାସ, ପ୍ରବୀର ମହାନ୍ତି ଓ ଚତୁର୍ଭୁଜ ଜେନା ପ୍ରମୁଖ ଆଲୋଚନା ଚକ୍ର ପରିଚାଳନାରେ ସହଯୋଗ କରିଥିଲେ।



