ନାକଟିଦେଉଳ ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର,୧୧୮ ଅଭିଯୋଗ ପଞ୍ଜୀକୃତ

ନାକଟିଦେଉଳ:ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମୁଦାୟ ୧୧୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୫ଟି ବ୍ୟକ୍ତିଗତ ଏବଂ ୩୩ଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା। ଏଥିରେ ରାସନ କାର୍ଡ,ଆବାସ ଯୋଜନାରେ ଘର, ବିଦ୍ୟୁତ ସମସ୍ୟା ନେଇ ସର୍ବାଧିକ ଅଭିଯୋଗ ଦାଖଲ ହୋଇଥିଲା। ଏଥିସହିତ ନାକଟିଦେଉଳରୁ ସମ୍ବଲପୁରକୁ ଯାତାୟାତ କରୁଥିବା ଲକ୍ଷ୍ମୀ ବସକୁ ପୁନର୍ବାର ଚାଲୁ କରାଯିବା, ନାକଟିଦେଉଳ ବସାଷ୍ଟାଣ୍ଡରେ ଡ୍ରେନେଜ ନିର୍ମାଣ, କଣ୍ଢଳ -ଗଦାଧରପୁର ମଧ୍ୟରେ ଥିବା ଟିକିରା ନଦୀ ଉପରେ ସେତୁ ନିର୍ମାଣ, ଭୂମିହୀନମାନଙ୍କୁ ମିଳିଥିବା ଜମିପଟ୍ଟା ଚି଼ହ୍ନଟ ଆଦି ସମ୍ପର୍କରେ ଲୋକେ ଅଭିଯୋଗ କରିଥିଲେ।

ଶିବିରରେ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଯୋଗଦେଇ ଜନସାଧାରଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିବା ସହ ଶୀଘ୍ର ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ମିଲେଟ୍ସ ମିଶନ ପକ୍ଷରୁ ଖୋଲିଥିବା ପାରମ୍ପରିକ ଖାଦ୍ୟ ଶସ୍ୟ ଷ୍ଟଲ ବୁଲି ଦେଖିଥିବା ବେଳେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୮ ଜଣ ହିତାଧିକାରୀଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ୨୪ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଏବଂ ୪ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଥିଲେ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର, ରେଢ଼ାଖୋଲ ଉପଜିଲାପାଳ ରଶ୍ମିରଂଜନ ମହନ୍ତ, ରେଢ଼ାଖୋଲ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେର, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ, ବିଡ଼ିଓ ଧନେଇ ଚରଣ ଟୁଡୁ ଏବଂ ତହସିଲଦାର ଅମର ଡୁଙ୍ଗଡୁଙ୍ଗ ପ୍ରମୁଖ ଯୋଗଦେଇଥିବା ବେଳେ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.