ନୂଆଦିଲ୍ଲୀ : ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରେ ଝଟକା ଲାଗିଛି । ଅଦାଲତ ଅବମାନନା ନେଇ ତାଙ୍କୁ ସୁପ୍ରିମ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୨ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସିବିଆଇ ଅଧିକାରୀ ଏ.କେ ଶର୍ମାଙ୍କୁ ବଦଳି କରାଯିବା ନେଇ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଶର୍ମା ମୁଜାଫରପୁର ଆଶ୍ରୟଗୃହ ମାମଲାର ତଦନ୍ତ କରୁଥିଲେ। ଅନ୍ତରୀଣ ନିର୍ଦ୍ଦେଶକ ଭାବେ କିଛି ବଡ଼ ନିଷ୍ପତ୍ତି ନ ନେବାକୁ କୋର୍ଟ ଆଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ନାଗେଶ୍ୱର ରାଓ ଏହି ବଦଳି କରିଥିଲେ। ଏହାକୁ ଅଦାଲତ ଗୁରୁତର ସହ ଗ୍ରହଣ କରି ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିବାଦ ସମୟରେ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା।



