ନୂଆଦିଲ୍ଲୀ/କୋହିମା : ନାଗାଲାଣ୍ଡରେ ଆସାମ ରାଇଫଲ୍ସ ଯବାନଙ୍କ ଗୁଳିରେ ୧୪ ସାଧାରଣ ଜନତାଙ୍କ ମୃତ୍ୟୁର ଜୋର୍ଦାର ପ୍ରତିଫଳନ ସଂସଦରେ ଘଟିଛି। ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ସୋମବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କ୍ଷୋଭ ପକାଶ କରିଥିବାବେଳେ ବିରୋଧୀ ଦଳଙ୍କ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏହି ଗଣହତ୍ୟାର ଦିବସକୁ ବିରୋଧୀ ଦଳ ‘କଳା ଦିବସ’ ଭାବେ ବର୍ଣ୍ଣନା କରିବା ସହ ଆସାମ ରାଇଫଲ୍ସର ଭୁଲ୍ ଯୋଗୁଁ ଲଜ୍ଜାରେ ମୁଣ୍ଡ ନଇଁ ଯାଉଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ନାଗାଲାଣ୍ଡରୁ ତୁରନ୍ତ ସ୍ବତନ୍ତ୍ର ସେନା କ୍ଷମତା ଆଇନ (ଆଫ୍ସ୍ପା) ପ୍ରତ୍ୟାହାର ପାଇଁ ବିରୋଧୀ ଦଳ ଦାବି କରିଛନ୍ତି। ଏହାର ଜବାବ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯବାନମାନେ ଲୋକଙ୍କୁ ଚିହ୍ନି ନ ପାରି ମାରି ଦେଇଛନ୍ତି। ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ସୁରକ୍ଷା ବଳକୁ ନିର୍ଦେଶ ଦିଆଯାଇଛି। ରବିବାର ସେନାକୁ ଓଟିଂଠାରେ ଉଗ୍ରବାଦୀଙ୍କ ଅବସ୍ଥିତି ନେଇ ସୂଚନା ମିଳିଥିଲା ଏବଂ ସନ୍ଦେହଜନକ ଭାବେ ଗାଡ଼ିରେ ଆସୁଥିବା ଲୋକଙ୍କୁ ଚିହ୍ନି ନ ପାରି ୨୧ ଯବାନ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସାଧାରଣ ଲୋକମାନେ ଆସୁଥିବା ଗାଡ଼ିକୁ ଯବାନମାନେ ଅଟକାଇବା ଉଦ୍ୟମ କରିଥିଲେ ମଧ୍ୟ ଗାଡ଼ି ନ ଅଟକି ଖସି ପଳାଇବା ଉଦ୍ୟମ କରିବାରୁ ସେମାନେ ଏହା ଉପରକୁ ଗୁଳିମାଡ଼ କରିଥିଲେ। ଗାଡ଼ିରେ ଥିବା ୮ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଚିହ୍ନିବାରେ ଭ୍ରମ ଯୋଗୁଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ଖବର ପ୍ରଚାର ପରେ ସ୍ଥାନୀୟ ଗ୍ରାମବାସୀ ସେନା ଉପରେ ଆକ୍ରମଣ କରିଥିଲେ ଏବଂ ଯବାନମାନେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାରେ ଉଭୟ ପକ୍ଷଙ୍କ ମଧ୍ୟରେ ଜୋର୍ଦାର ସଂଘର୍ଷ ହୋଇଥିଲା। ଏଥିରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେନା ପକ୍ଷରୁ ଏଭଳି ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି। ଆଇନାନୁସାରେ ସମ୍ପୃକ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ନିଘା ରଖିଥିବା ସେ କହିଛନ୍ତି। ପରିସ୍ଥିତି ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ଶାନ୍ତ ରହିଛି। ରାଜ୍ୟ କ୍ରାଇମ ବ୍ରାଞ୍ଚ ଦ୍ବାରା ଗଠିତ ଏକ ସ୍ବତନ୍ତ୍ର ଦଳ (ଏସ୍ଆଇଟି) ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତା ୩୦ ଦିନ ମଧ୍ୟରେ ଏହା ରିପୋର୍ଟ ଦାଖଲ କରିବ। ରାଜ୍ୟ ପୁଲିସ ମହାନିର୍ଦେଶକ ଓ ଅନ୍ୟ ଉଚ୍ଚାଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମେଜର ଜେନେରାଲ ପାହ୍ୟାର ଜଣେ ଅଧିକାରୀଙ୍କ ଦ୍ବାରା ସେନା ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦିମାପୁରସ୍ଥିତ ସେନା କାର୍ଯ୍ୟାଳୟ ପକ୍ଷରୁ ଏହି ତଦନ୍ତ କରାଯିବ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ କ୍ୟାବିନେଟ୍ ସଦସ୍ୟଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଆସାମ ରାଇଫଲ୍ସ ଯବାନଙ୍କ ବିରୋଧରେ ରାଜ୍ୟ ପୁଲିସ ପକ୍ଷରୁ ହତ୍ୟା ଅଭିଯୋଗରେ ଏତଲା ଦାୟର କରାଯାଇଛି। ମୃତକଙ୍କ ଗଣ ସତ୍କାର କରାଯାଇଛି। ରାଜ୍ୟ ସରକାର ମୃତକଙ୍କ ପିଛା ୫ ଲକ୍ଷ ଓ ଆହତଙ୍କ ପିଛା ୫୦ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି।
ଅପରପକ୍ଷରେ ସଂସଦରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଜବାବ ଲୋଡ଼ିଥିଲେ। ବିରୋଧୀ ଦଳଗୁଡ଼ିକ ଏହି ଘଟଣା ନେଇ ଗୁଇନ୍ଦା ବିଫଳତାକୁ ଦାୟୀ କରିବା ସହ ବିବାଦୀୟ ‘ଆଫପ୍ସା’ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। କଂଗ୍ରେସ ପକ୍ଷରୁ ଏକ ୪ଜଣିଆ ତଥ୍ୟାନୁସନ୍ଧାନୀ ଦଳ ଗଠନ କରାଯାଇଛି। ଏହି ଦଳ ଖୁବ୍ ଶୀଘ୍ର ନାଗାଲାଣ୍ଡ ଗସ୍ତରେ ଯିବେ ବୋଲି ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ କହିଛନ୍ତି। ତୃଣମୂଳ କଂଗ୍ରେସର ଏକ ୫ଜଣିଆ ପ୍ରତିନିଧି ଦଳ ମଧ୍ୟ ନାଗାଲାଣ୍ଡ ଗସ୍ତରେ ଯିବ। ଏଆଇଏମ୍ଆଇଏମ୍ ସାଂସଦ ଓସାଦୁଦ୍ଦିନ ଓୱେସି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ। ଏହି ଘଟଣା ସହିତ ଚୀନ୍ର କିଛି ସମ୍ପର୍କ ରହିଛି କି ନାହିଁ ତାହାର ତଦନ୍ତ ପାଇଁ ସେ ଦାବି କରିଥିଲେ। ଲୋକସଭା ଓ ରାଜ୍ୟସଭାରେ ସମସ୍ତ ବିରୋଧୀ ଦଳ ସଦସ୍ୟ ଏହି ଘଟଣାରେ ଏକଜୁଟ ହୋଇଥିଲେ।
ନାଗାଲାଣ୍ଡ ଗଣହତ୍ୟା ନେଇ ସଂସଦରେ କ୍ଷୋଭ : ଚିହ୍ନି ନ ପାରି ମାରିଦେଲେ: ସ୍ବରାଷ୍ଟ୍ରମନ୍ତ୍ରୀ
Popular Categories



