ମୁଶାରଫଙ୍କୁ ଗିରଫ ନିର୍ଦେଶ
ଇସଲାମାବାଦ : ପାକିସ୍ତାନର ସ୍ୱତନ୍ତ୍ର ପ୍ରାଧିକରଣ ଅଦାଲତ ରାଷ୍ଟ୍ରଦ୍ରୋହ ମାମଲାରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଗିରଫଦାରୀ ପାଇଁ ନିର୍ଦେଶ ଦେଇଛନ୍ତି । ୭୩ ବର୍ଷିୟ ମୁଶରଫଙ୍କ ନାମରେ ୨୦୦୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସାମ୍ବିଧାନିକ ମାନ୍ୟତା ରଦ୍ଦ କରିବା ଭଳି ରାଷ୍ଟ୍ରଦ୍ରୋହ ସମେତ ଆଉ କେତେକ ମାମଲା ରହିଛି ।
ଅଦାଲତ ମୁଶାରଫଙ୍କୁ ଅପରାଧୀ ବୋଲି ଘୋଷଣା କରିବା ସହ ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଦେଇଛନ୍ତି ।
ପ୍ରକାଶ ଯେ ୧୯୯୯ରେ ମୁଶାରଫ ସେନାଧ୍ୟକ୍ଷ ଥିବାବେଳେ ଦେଶରେ ସରକାରଙ୍କୁ ହଟାଇ ସାମରିକ ଶାସନ ଜାରି କରିଥିଲେ । ଏହାପରେ ସେ ଦେଶର ଶାସନ ଭାର ନିଜ ହାତକୁ ନେଇ ଏକଛତ୍ରବାଦ ଚଳାଇଥିଲେ । ପାକିସ୍ତାନ ରାଷ୍ଟ୍ରପତିଙ୍କୁ ସର୍ବଶକ୍ତିମାନ କରିବା ପାଇଁ ସମ୍ବିଧାନ ସଂଶୋଧନ କରିବା ପୂର୍ବକ ନିଜେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ ।