ମୁଲାୟମଙ୍କ ଦେହାନ୍ତରେ ଅଖିଳେଶଙ୍କ ଦୁଃଖଭରା ଟ୍ୱିଟ୍; ଲେଖିଲେ, ଆଉ ନାହାନ୍ତି ମୋ ବାପା
ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ମୁଲାୟମଙ୍କ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଖିଳେଶ ଭାବପ୍ରବଣ ହେବା ସହ ମୋ ବାପା ଆଉ ନାହାନ୍ତି ବୋଲି ଲେଖିଛନ୍ତି । ଅଖିଳେଶଙ୍କ ଏହି ଟ୍ୱିଟ୍ ପରେ ସାରା ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶେକ ପ୍ରକାଶ କରିଛନ୍ତି । ସେହିପରି ବିଭିନ୍ନ ଦଳର ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଆଉ ମୁଲାୟମ ସିଂ ଯାଦବଙ୍କୁ ମନେ ପକାଉଛନ୍ତି ୟୁପିବାସୀ ।
୮୨ ବର୍ଷ ବୟସରେ ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ୮ଟା ୧୬ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କୁହାଯାଇଛି । ଅସୁସ୍ଥତା କାରଣରୁ ଅଗଷ୍ଟ ୨୨ରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଅକ୍ଟୋବର ୨ ତାରିଖରେ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଆଜି ତାଙ୍କର ଦେହାନ୍ତ ହୋଇଛି ।
ମୁଲାୟମ ସିଂ ଯାଦବଙ୍କ ପରଲୋକ ଖବର ପାଇବା ପରେ ସମାଜବାଦୀ ପାର୍ଟି କର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଲାୟମ ୩ଥର ୟୁପି ମୁଖ୍ୟମନ୍ତ୍ରୀ ଓ ୭ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ମେଦାନ୍ତ ଡାକ୍ତରଖାନାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଅନ୍ୟ ପରିବାର ସଦସ୍ୟ ରହିଛନ୍ତି । ମୁଲାୟମ ସିଂ ଯାଦବଙ୍କ ମୃତଦେହକୁ ଦିଲ୍ଲୀରୁ ଲକ୍ଷ୍ନୌକୁ ଆଣିବାକୁ ପ୍ରସ୍ତୁତି କରାଯାଉଛି ।
Comments are closed.