ନୟାଗଡ଼: ମୁଦୁଲିଗାଡ଼ିଆକୁ ମିଳିଲା ରାଜ୍ୟର ପ୍ରଥମ ‘ଇକୋ ଭିଲେଜ’ ମାନ୍ୟତା ମିଳିଛି। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମୁଦୁଲିଗାଡ଼ିଆ ଗ୍ରାମକୁ ରାଜ୍ୟ ଓ ପରିବେଶ ବିଭାଗ ପକ୍ଷରୁ ଏଭଳି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଡିଏଫଓ ଶ୍ରୀମତୀ ଅଂଶୁପ୍ରଜ୍ଞା ଦାସ ‘ସମାଜ’କୁ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଗ୍ରାମ ମଧ୍ୟ ଦେଶର ଏକମାତ୍ର ମଡେଲ ଭିଲେଜ ବା ଆଦର୍ଶ ଗ୍ରାମ ଭାବେ ଘୋଷିତ ହୋଇଛି। ଏହି ଗ୍ରାମ ସମେତ ଅଭୟାରଣ୍ୟ ମଧ୍ୟରେ ରହିଥିବା ଅନ୍ୟ ୩୬ ଗ୍ରାମକୁ ପରବର୍ତ୍ତୀ ସମୟରେ ‘ଇକୋ ଭିଲେଜ’ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ,ଏହି ଡିଭିଜନର ଛାମୁଣ୍ଡିଆ ବନାଞ୍ଚଳ ଅଧୀନ ମୁଦୁଲିଗାଡ଼ିଆ ଗ୍ରାମକୁ ‘ଇକୋ ଭିଲେଜ’ ମାନ୍ୟତା ମିଳିବା ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଗ୍ରାମକୁ ରଙ୍ଗ ଦେଇ ସଜେଇବା କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମରେ ଥିବା ସମସ୍ତ ୩୫ଟି ଘରକୁ ନାଲି ରଙ୍ଗରେ ସଜାଇବା ସହ ଝୋଟି ଚିତ୍ର ଅଙ୍କା ଯାଉଛି। ପ୍ରତ୍ୟେକ ଦିନ ସକାଳୁ ‘ମା ସାତଭଉଣୀ ପରିବେଶ ବିକାଶ ସମିତି’ର ସଦସ୍ୟାମାନେ ଗ୍ରାମର ପରିବେଶକୁ ସଫା ସୁତୁରା କରିଥାନ୍ତି। ପ୍ରସିଦ୍ଧ ବଡ଼ମୂଳ ସ୍ୟାଣ୍ଡ ରିସୋର୍ଟଠାରୁ ୨ କିଲୋମିଟର ଦୂରରେ ଏହି ଗ୍ରାମର ପୁରୁଷ ଓ ମହିଳାଙ୍କୁ ମିଶାଇ ୩୦ ଜଣଙ୍କୁ ଏଥିରେ ସାମିଲ କରାଯାଇଛି। ଗ୍ରାମବାସୀଙ୍କ ପାଇଁ ବିଭାଗ ପକ୍ଷରୁ ୧୨ଟି ଡଷ୍ଟବିନ ନିର୍ମାଣ କରାଯାଇଥିବାବେଳେ ଗ୍ରାମର ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଥିଲାବେଳେ ଅନୁରୂପ ଭାବେ ସବୁ ପରିବାରକୁ ଏଲପିଜି ଗ୍ୟାସ ଯୋଗାଇ ଦିଆଯାଇଛି। ଫଳରେ ରୋଷେଇ ପାଇଁ ପୂର୍ବ ଭଳି ଗ୍ରାମବାସୀ ଜଙ୍ଗଲ ଉପରେ ଆଉ ନିର୍ଭର କରୁନାହାନ୍ତି ବୋଲି ଡିଏଫଓ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କୁ ସଚେତନା ଯୋଗୁଁ ଜଙ୍ଗଲ କ୍ଷୟ ସମ୍ପୂର୍ଣ୍ଣ ରୋକାଯାଇଥିଲାବେଳେ ଏଠାରେ ଜଙ୍ଗଲ ନିଆଁକୁ ମଧ୍ୟ ୩ବର୍ଷ ହେଲା ରୋକାଯାଇ ପାରିଛି। ସେହିଭଳି ସମ୍ପୃକ୍ତ ଗ୍ରାମବାସୀ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଶପଥ ନେଇଥିବାବେଳେ ଗ୍ରାମରେ ଥିବା ମନ୍ଦିରକୁ ମଧ୍ୟ ବିଭାଗ ପକ୍ଷରୁ ରଙ୍ଗ ଦିଆଯାଇଛି। ସାତକୋଶିଆକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସୁନ୍ଦର ଗ୍ରାମକୁ ଭ୍ରମଣ କରିବା ଉଦ୍ଦେଶ୍ୟରେ ବିଭାଗ ଏଭଳି ପଦକ୍ଷେପ ନେଇଥିବା ବେଳେ ପର୍ଯ୍ୟଟକମାନେ ଗ୍ରାମରେ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଦେଶୀ ଖାଦ୍ୟ ଖାଇପାରିବାର ବ୍ୟବସ୍ଥା ବିଭାଗ ତରଫରୁ କରାଯାଇଛି। ଏହାଦ୍ୱାରା ମୁଦୁଲିଗାଡ଼ିଆ ଗ୍ରାମର ପ୍ରତ୍ୟେକ ପରିବାର ମାସକୁ ଅନ୍ୟୂନ ୧୫ ହଜାର ଟଙ୍କା ରୋଜଗାର କରିପାରିବେ ବୋଲି ଡିଏଫଓ ଶ୍ରୀମତୀ ଦାସ କହିଛନ୍ତି। ଏହି ଗାଁର ସମସ୍ତ ଟିକସ ଇକୋଟୁରିଜିମ ପ୍ରକଳ୍ପରୁ ଆଦାୟ ହେଉଛି ଏବଂ ଗ୍ରାମବାସୀଙ୍କୁ ସେଥିରୁ ୧୦% ସେମାନଙ୍କ ଆୟ ବାବଦରେ ପ୍ରଦାନ କରାଯାଉଛି।
ନୟାଗଡ଼ ଓ ବୌଦ୍ଧ ଜିଲାର ୪୩୩.୮୬ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଘଞ୍ଚ ଜଙ୍ଗଲ ଅଞ୍ଚଳକୁ ନେଇ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଗଠିତ ହୋଇଛି। ଏଠାର ଜୈବ ବିବିଧତାର ସର୍ବଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମହାନଦୀ କୂଳରେ ପରିବ୍ୟାପ୍ତ ଏହି ମନୋରମ ଅଞ୍ଚଳ ନୟାଗଡ଼ ଜିଲା ଗଣିଆ ଅଞ୍ଚଳରେ ୩୧୬.୦୨ ବର୍ଗ କିଲୋମିଟର ଏବଂ ବୌଦ୍ଧ ଜିଲାର କୁସଙ୍ଗ ଅଞ୍ଚଳରେ ୧୧୭.୮୪ ବର୍ଗ କିଲୋମିଟର ଜଙ୍ଗଲ ଅଞ୍ଚଳକୁ ନେଇ ପ୍ରତିଷ୍ଠା ହୋଇଥିବା ଏହି ନୈସର୍ଗିକ ସ୍ଥାନରେ ଦୁର୍ଲଭ ପଶୁପକ୍ଷୀ,ମୂଲ୍ୟବାନ ବୃକ୍ଷଲତା ଓ ଗୁଳ୍ମ ରହିଛନ୍ତି। ବାଇଶପଲ୍ଲୀ ହସ୍ତୀ ଅଭୟାରଣ୍ୟ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏହି ଅଞ୍ଚଳରେ ରହିଛି। ଉଲ୍ଲେଖଯୋଗ୍ୟ ଯେ,ଏହି ଅଭୟାରଣ୍ୟରେ ୧୮୩ ପ୍ରକାରର ପ୍ରଜାତିର ପକ୍ଷୀ,୨୭ ପ୍ରକାରର ସରିସୃପ,୧୨୮ ପ୍ରକାର ମାଛ ଏବଂ ୫୮ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ବାସ କରନ୍ତି। ଅନ୍ୟପକ୍ଷରେ ଏଠାରେ ୪୦୯ ପ୍ରଜାତିର ମୂଲ୍ୟବାନ ବୃକ୍ଷଲତା ଓ ଗୁଳ୍ମ ରହିଥିଲାବେଳେ ବହୁ ସଂଖ୍ୟାରେ ହାତୀ ରହିଥିବା ଜଣାପଡ଼ିଛି। ବାଇଶପଲ୍ଲୀ ଅଞ୍ଚଳରେ ୧୬୮.୩୫ ବର୍ଗ କିଲୋମିଟର ଅଞ୍ଚଳରେ ହସ୍ତୀ ଅଭୟାରଣ୍ୟ ରହିଥିଲାବେଳେ ସାତକୋଶିଆ ଅଞ୍ଚଳରେ ୨୬୫.୫୧ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦେଶରୁ ଲୋପପାଇ ଆସୁଥିବା ଅବଲୁପ୍ତ ପ୍ରାୟ ଅହିରାଜ ସାପଠାରୁ ବାଲିଶୁଆ ପର୍ଯ୍ୟନ୍ତ ବୃହତ୍ତ ତଥା କ୍ଷୁଦ୍ର ପ୍ରାଣୀମାନଙ୍କର ଏହା ହେଉଛି ନିରାପଦ ଆଶ୍ରୟ ସ୍ଥଳୀ। ଏହି ଡିଭିଜନର ଉତ୍ତର ପାର୍ଶ୍ୱରେ ରହିଛି ଚିରସୋତ୍ରା ମହାନଦୀର ବିସ୍ତୀର୍ଣ୍ଣ ନୀଳ ଜଳ ରାଶି ଏବଂ ଦକ୍ଷିଣ ପାର୍ଶ୍ୱରେ ରହିଛି ଶତାଧିକ ମାଇଲ ବ୍ୟାପି ସୁଦୀର୍ଘ ଘନ ସବୁଜିମା। ଏହି ମନୋରମ ପ୍ରକଳ୍ପକୁ ଜର୍ମାନୀ, ଫ୍ରାନ୍ସ,ଲଣ୍ଡନ ପ୍ରଭୃତି ଦେଶରୁ ମଧ୍ୟ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପରିସରରେ ଥିବା ଦୁର୍ଗମ ମୁଦୁଲିପଡ଼ା ଏବଂ ମାଳିସାହି ଗ୍ରାମ ନିକଟରେ ମହାନଦୀ ବନ୍ୟ ପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ୨୦୧୬ ମସିହାଠାରୁ ଆରମ୍ଭ କରାଯାଇଥିଲା ସ୍ୟାଣ୍ଡ ରିସୋର୍ଟ। ଏହା ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏଠାରେ ମନୋରମ ପାରିପାର୍ଶ୍ବିକ ପରିବେଶ ରାଜ୍ୟ,ଦେଶ ଏବଂ ବିଦେଶର ପ୍ରକୃତିପ୍ରେମୀମାନଙ୍କୁ ଆକର୍ଷିତ କରିପାରିଛି ବୋଲି ଡିଏଫଓ ଶ୍ରୀମତୀ ଦାସ କହିଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଚାଲିଥିବା ଏହି ପ୍ରକଳ୍ପକୁ ରାଜ୍ୟ,ଦେଶ ତଥା ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି।



