ଓଡ଼ିଶାର ପରିବହନ ଇତିହାସରେ ନୂଆ ଯୁଗର ସଂକେତ : ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ସହ ଚୁକ୍ତି
୬୨୫୫ କୋଟି ଟଙ୍କାର ସମ୍ପୂର୍ଣ୍ଣ ପ୍ରକଳ୍ପ ଖର୍ଚ୍ଚ ବହନ କରିବ ରାଜ୍ୟ
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଛକ
୪ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଉପାଦେ ଆଗକୁ ବଢ଼ିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଭୁବନେଶ୍ବର ମେଟ୍ରୋ ରେଲ କର୍ପୋରେସନ୍ ସୋମବାର ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ (ଡିଏମ୍ଆର୍ସି) ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ପ୍ରକଳ୍ପ ନିମନ୍ତେ ଡିଏମ୍ଆର୍ସି ଟର୍ଣ୍ଣକି କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରିବ। ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ୪ ବର୍ଷରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏହି ଚୁକ୍ତି ଓଡ଼ିଶାର ପରିବହନ ଇତିହାସରେ ଏକ ନୂତନ ଯୁଗର ସଂକେତ। କ୍ୟାପିଟାଲ ରିଜିଅନ୍େର ପରିବହନ ପରିଦୃଶ୍ୟକୁ ରୂପାନ୍ତର କରିବାକୁ ଆମେ ଏବେ ପ୍ରସ୍ତୁତ। ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ ଏହା ଏକ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ। ଏହା ମଧ୍ୟ ନୂତନ ଓଡ଼ିଶା ଆର୍ବିଭାବର ପ୍ରତୀକ। ଏହି ପ୍ରକଳ୍ପର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୬ ହଜାର ୨୫୫ କୋଟି ଟଙ୍କାରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିଲେ। ଓଡ଼ିଶା ଇତିହାସରେ କୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ହେଉଛି ସର୍ବବୃହତ୍ ବିିନିଯୋଗ। ରାଜ୍ୟ ସରକାର ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରିବେ। ୨୦୧୯ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଏହା ଅନ୍ୟତମ। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ର ବିଶେଷଜ୍ଞଙ୍କ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶରେ ମେଟ୍ରୋ ରେଳର ନିର୍ମାଣ ଏବଂ ଅପରେସନ୍ କ୍ଷେତ୍ରରେ ଡିଏମ୍ଆର୍ସି ହେଉଛି ଅଗ୍ରଣୀ। ଏହି ମେଟ୍ରୋ ରେଳ ବିଶ୍ବସ୍ତରୀୟ ହେବା ସହ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହାସହ ଦେଶର ମେଟ୍ରୋ ରେଳ ଇତିହାସରେ ଏହା ନୂତନ ମାନଦଣ୍ଡ ସ୍ଥାପନ କରିବ ବୋଲି ସେ କହିଥିଲେ।
ଆୟୋଜିତ କାର୍ଯ୍ୟକ୍ରମକୁ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ସଞ୍ଚାଳନ କରିଥିଲେ। ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରକଳ୍ପ ଘୋଷଣା କରିଥିଲେ। ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଅକ୍ଟୋବର ୨୯ ତାରିଖରେ ତ୍ରିଶୂଳିଆ ଯାଇ ଭିତ୍ତିପ୍ରସ୍ତର ପୂର୍ବରୁ ଏହାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ପରିବହନ କ୍ଷେତ୍ରର ରୂପାନ୍ତରଣରେ ଏହା ଐତିହାସିକ ପଦକ୍ଷେପ। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ସେ ପ୍ରଶଂସା କରିଥିଲେ। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ଏହି ପ୍ରକଳ୍ପ ବାସ୍ତବରେ କଟକ ଏବଂ ଭୁବନେଶ୍ବରକୁ େଦ୍ବୖତନଗରୀ ଭାବେ ଗଢ଼ି ତୋଳିବ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ଏହି ପ୍ରକଳ୍ପ କେବଳ ଉଭୟ ସହରରେ ଟ୍ରାଫିକ୍କୁ ସୁଗମ କରିବନି, ବରଂ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ। ଡିଏମ୍ଆର୍ସି ଏମ୍ଡି ବିକାଶ କୁମାର କହିଥିଲେ, ଓଡ଼ିଶାରେ ଗମନାଗମନ ଭିତ୍ତିକ ବିକାଶ ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ। ଏହା ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଅଭିବୃଦ୍ଧି ଓ ବିକାଶକୁ ଆଗକୁ ବଢ଼ାଇବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ବାଗତ ଭାଷଣ ଏବଂ ଭୁବନେଶ୍ବର ମେଟ୍ରୋ ରେଲ କର୍ପୋରେସନ୍ ସିଇଓ ଶିବପ୍ରସାଦ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଦୈର୍ଘ୍ୟ ହେଉଛି ୨୬ କି.ମି.। କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ଜୟଦେବ ବିହାର ଛକ ଏବଂ ପଟିଆ ଛକ ସମେତ ୨୦ ମେଟ୍ରୋ ଷ୍ଟେସନ୍ ଏଥିରେ ରହିଛି। ମେଟ୍ରୋ ରେଳ ଟ୍ରାକ୍ ଏବଂ ଷ୍ଟେସନ୍ ଉଚ୍ଚା ପୋଲ (ଏଲିଭେଟେଡ୍ ଭାଏଡକ୍ଟସ)ରେ ରହିବ। ଅତ୍ୟାଧୁନିକ କୋଚ୍ ଏବଂ ସିଗ୍ନାଲ୍ ବ୍ୟବସ୍ଥା କରାଯିବ। ଏହାସହ ଉନ୍ନତ ଟିକଟ ପ୍ରଦାନ ବ୍ୟବସ୍ଥା ରହିବ। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଜାନୁଆରୀ ପହିଲା ଅର୍ଥାତ୍ ନୂଆବର୍ଷରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.