ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ଏହି ଅଧିବେଶନ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ୍ ସଂଶୋଧନ ବିଲ୍, ଜୈବ ବିବିଧତା ସଂଶୋଧନ ବିଲ୍, ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା ବିଲ୍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍, ଜାତୀୟ ତଦନ୍ତ କମିଶନ ବିଲ୍, ଜାତୀୟ ନର୍ସିଙ୍ଗ୍ ଓ ସେବିକା କମିଶନ ବିଲ୍ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍ ୨୦୨୨ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବ। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ମୌସୁମୀ ଅଧିବେଶନ ଅଧିବେଶନର ଅବ୍ୟବହିତ ପୂର୍ବରୁ ସରକାର ଆଜି ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପନ୍ନ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଡକାଯାଇଛି । ଆଜି ମଧ୍ୟ ଲୋକସଭାର କାର୍ଯ୍ୟକ୍ରମ ଉପଦେଷ୍ଟା କମିଟିର ଏକ ବୈଠକ ବସିବ।



