www.samajalive.in
Monday, December 8, 2025
13.1 C
Bhubaneswar

କାରାଗାରରେ ମୋବାଇଲ ଠାବ କରିବ ଲିନିୟର ଡିଟେକ୍ଟର

ଭୁବନେଶ୍ୱର: ଏଣିକି କାରାଗାରରେ ବନ୍ଦୀମାନେ ଲୁଚାଛପାରେ ମୋବାଇଲ ବ୍ୟବହାର କରିପାରିବେନି କି ଲୁଚାଇ ରଖିପାରିବେନି। ଯେଉଁଠି ବି ରଖିଲେଖୋଜି ବାହାର କରିବ ନନ୍ ଲିନିୟର ଡିଟେକ୍ଟର। ମୋବାଇଲ ସ୍ବିଚ୍ ଅଫ୍‌ ରହୁ ଅବା ମାଟି ତଳେ ପୋତା ହୋଇଥାଉ, ସବୁଠି ଖୋଜି ବାହାର କରିବ ଏହି ଅତ୍ୟାଧୁନିକ ଯନ୍ତ୍ର। ରାଜ୍ୟରେ ଥିବା ପ୍ରମୁଖ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ଏହି ମେସିନ ଯୋଗାଇ ଦିଆଯାଇଛି। ଏହି ମେସିନ ଜେଲ୍‌ ଭିତରେ ବନ୍ଦୀମାନେ ମୋବାଇଲ, ଚାର୍ଜର, ସିମ୍‌ କାର୍ଡ କିମ୍ବା ଅନ୍ୟ ବୈଦ୍ୟୁତିକ ଉପକରଣ ରଖିଥିଲେ ତାକୁ ଖୋଜି ବାହାର କରିବ।

ସୂଚନାଯୋଗ୍ୟ ଯେ ଗିରଫ ହୋଇ କାରାଗାରରେ ଥିବା ଅଭିଯୁକ୍ତମାନେ ମୋବାଇଲ ବ୍ୟବହାର କରି ନିଜ ଅପରାଧ ସାମ୍ରାଜ୍ୟ ଚଲାଉଛନ୍ତି। ଏପରିକି କାରାଗାର ଭିତରେ ରହି ଷଡ଼ଯନ୍ତ୍ର କରିବା ସହ ଧମକ ଦେଇ ବଟି ଆଦାୟ କରୁଛନ୍ତି। ଏପରି ଘଟଣା ଜଣାପଡ଼ିବା ପରେ କାରାଗାର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଥିଲା। ଅଚାନକ ଯାଞ୍ଚ ବେଳେ କାରାଗାର ପାଇଖାନା, ଗାଧୁଆଘର, ପରିତ୍ୟକ୍ତ ସ୍ଥାନ ଆଦିରୁ ମୋବାଇଲ ଫୋନ, ସିମ୍‌ ଆଦି ଜବତ ହୋଇଥିଲା। ଅଭିଯୁକ୍ତଙ୍କ ଏହି କାରନାମା ରୋକିବା ଲାଗି କାରାଗାରରେ ନନ୍ ଲିନିୟର ଡିଟେକ୍ଟର ମେସିନ ବ୍ୟବହାର ଆରମ୍ଭ ହୋଇଛି। ଝାରପଡ଼ା ସ୍ବତନ୍ତ୍ର କାରାଗାର ସମେତ ରାଜ୍ୟର ୫ ମଣ୍ଡଳ କାରାଗାରକୁ ଏହି ମେସିନ ଯୋଗାଇ ଦିଆଯାଇଛି। ଝାରପଡା ସ୍ବତନ୍ତ୍ର କାରାଗାରକୁ ଏପରି ୫ଟି ମେସିନ ଯୋଗାଇ ଦିଆଯିବା ସହ ବ୍ୟବହାର ଲାଗି କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। କାରାଗାର ଅଧୀକ୍ଷକଙ୍କ ସୂଚନା ଅନୁସାରେ ନିୟମିତ ଏହି ମେସିନର ବ୍ୟବହାର କରାଯାଉଛି। ନନ୍ ଲିନିୟର ଡିଟେକ୍ଟର ମେସିନ୍ ମାଧ୍ୟମରେ କାରାଗାର ପରିସରରେ ଯେକୌଣସି ସ୍ଥାନରେ ମୋବାଇଲ୍ ଲୁଚାଇ ରଖାଯାଇଥିଲେ ଠାବ କରାଯାଇ ପାରିବ। ଯଦି କୌଣସି ବନ୍ଦୀ ଲୁଚି କରି ମୋବାଇଲ୍ ବ୍ୟବହାର କରୁଥାଏ କିମ୍ବା କୌଣସି ସ୍ଥାନରେ ଲୁଚାଇ ରଖିଥାଏ ତାହା ହେଲେ ଏହି ମେସିନର ସାଇରନ ବାଜିବ। ମୋବାଇଲ, ଚାର୍ଜର, ସିମ୍‌କାର୍ଡ ତଥା ଅନ୍ୟାନ୍ୟ ଡିଭାଇସ ଥିବା ସ୍ଥାନରେ ମେସିନ ପହଞ୍ଚିବା ମାତ୍ରେ ଏଥିରେ ସିଗ୍‌ନାଲ ଦେଖାଇବ ଏବଂ ଏକ ସାଇରନ ବାଜିବ। ପୂର୍ବରୁ କାରାଗାର ପରିସରରେ ଜାମରଠାରୁ ଆରମ୍ଭ କରି ମେଟାଲ ଡିକ୍ଟେଟେର୍ ବ୍ୟବହାର ହେଉଥିଲା। ଏହାସତ୍ତ୍ବେ କୌଶଳକ୍ରମେ ବନ୍ଦୀଙ୍କ ପାଖରେ ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚି ଯାଉଥିଲା। ଏହାଛଡ଼ା କାରାଗାର ପରିସରରେ ଲଗାଯାଇଥିବା ଜାମର ଏବଂ ମେଟାଲ ଡିକ୍ଟେଟେର ବ୍ୟବହାରରେ ଷ୍ଟେଟରେ ସଫଳତା ନ ମିଳିବାରୁ ଏବେ ଏହି ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories