ବାଲେଶ୍ୱର : ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଶୁକ୍ରବାର ଦିନ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କାନିଷ୍ଟରରୁ ଅପରାହ୍ଣ ପ୍ରାୟ ୩.୫୦ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲ ୨୦୧୭ ମସିହା ଜୁନ ୪ ତାରିଖରେ ପ୍ରଥମେ ପରୀକ୍ଷା କରା ଯାଇଥିଲା ବେଳେ ଏହା ଥିଲା ଅଷ୍ଟମ ପରୀକ୍ଷା। ପ୍ରତିରକ୍ଷା ବିଭାଗର ଏହି ନିୟମିତ ବ୍ୟାବହାରିକ ପରୀକ୍ଷାରେ ଏହା ଗତି, ଲକ୍ଷ୍ୟଭେଦ କରିବାର କ୍ଷମତା ଓ ମାରକ କ୍ଷମତା ସମ୍ପର୍କରେ ବିକଶିତ କରାଯାଇଥାଏ। ପ୍ରତିକୂଳ ଓ ଅନୁକୁଳ ପାଗରେ ଏହି କ୍ଷେପଣାସ୍ତ୍ରକୁ ବ୍ୟବହାର କରିବା ପାଇଁ ଏହାକୁ ଏକ କାନିଷ୍ଟରରୁ ଉତକ୍ଷେପଣ କରାଯାଇଥିଲା।
Popular Categories



