୧୦୦ ଖଣି ନିଲାମ ପାଇଁ ପ୍ରସ୍ତୁତ: ତୋମାର
ଭୁବନେଶ୍ୱର: ପୂର୍ବରୁ ଦେଶର ଖଣିଜ କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ରହିଥିଲା ଏବେ ତାହା ଆଉନାହିଁ। ପୂର୍ବରୁ ସିଧାସଳଖ ଭାବେ କମ୍ପାନୀଙ୍କୁ ଖଣି ଆବଣ୍ଟନ କରାଯାଉଥିବାବେଳେ ବର୍ତ୍ତମାନ ସରକାର ଇ-ନିଲାମ ଜରିଆରେ ଏହା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୩ ଖଣିଜ ବ୍ଲକର ନିଲାମ ଶେଷ ହୋଇଛି। ଏଥିରୁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୧,୪୩,୦୦୦ କୋଟି ଟଙ୍କାର ରାଜସ୍ୱ ମିଳିଛି। ବର୍ତ୍ତମାନ ପରିସ୍ଥିିତିରେ ପ୍ରାୟ ୧୦୦ଟି ଖଣି ନିଲାମ ଅପେକ୍ଷାରେ ରହିଛି। ୨୦୨୦ରେ ଯେଉଁସବୁ ଖଣିର ଅବଧି ଶେଷ ହେଉଛି ତାହାର ନିଲାମ ସମୟାନୁଯାୟୀ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଶନିବାର ଏଠାରେ ଆୟୋଜିତ ତିନିଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ (ଇନ୍କାଲ୍) ୨୦୧୯ର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତୋମାର
କହିଲେ, ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଖଣି ଓ ଖଣିିଜ ସାମଗ୍ରୀ ବିକାଶ ଏବଂ ନିୟାମକ ସଂଶୋଧନ ଆଇନ (ଏମ୍ଏମ୍ଡିଆର୍) ଆଇନରେ ଅନେକ ସଂଶୋଧନ କରିଛନ୍ତି। ଏହି ନୂଆ ଆଇନ ଖଣିଜ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିଛି। ଖଣିଜ ଅଞ୍ଚଳର ବିକାଶ ପାଇଁ ସରକାର ଜିଲା ଖଣିଜ ପାଣ୍ଠି(ଡିଏମ୍ଏଫ୍) ଗଠନ କରିଛନ୍ତି। ଆଲୁମିନିୟମ୍ ହେଉଛି ନୂଆ ଯୁଗର ଧାତୁ। ଏହି ଧାତୁର ଉପଯୋଗ ନିରନ୍ତର ବଢିଚାଲିଛି। ଦେଶରେ ମୁଣ୍ଡପିଛା ଆଲୁମିନିୟମ୍ ଉପଯୋଗିତା ବର୍ତ୍ତମାନ ୨.୫ କେଜି ରହିଥିବାବେଳେ ଏହାକୁ ୩.୫ କେଜିରେ ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ବୃହତ୍ ଆଲୁମିନିୟମ୍ ସମ୍ମିଳନୀର ନିଷ୍କର୍ଷ ନିଶ୍ଚିତ ଭାବେ ଶିଳ୍ପକୁ ଆଗେଇନେବା ସହ ଅନେକ ଗଠନମୂଳକ ପରାମର୍ଶ ଦେବ।
କାର୍ଯ୍ୟକ୍ର୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଅନୁଗୋଳଠାରେ ନାଲକୋ ପକ୍ଷରୁ ଏକ ଆଲୁମିନିୟମ ପାର୍କର ପରିକଳ୍ପନା କରାଯାଇଛି। ଏହି ପାର୍କରେ ଆଲୁମିନିୟମ୍ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ ପାଇଁ ସବୁ ପ୍ଲଟ୍ର ବୁକିଂ ଶେଷ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ଆଠଗଡ ଶଙ୍କରପୁର ଦେଇ ପୁରୁଣା ଜଗନ୍ନାଥ ସଡକ ପଥରେ ଅନୁଗୋଳ ଆଲୁମିନିୟମ ପାର୍କକୁ ସିଧାସଳଖ ଏକ ରାଜପଥ ନିର୍ମାଣ କରାଯିବ। ଏ ନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏହି ଯୋଜନା ନାଲ୍କୋ ଆଲୁମିନିୟମ ପାର୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ଏମଏମଆରଡି ଆଇନର ସଂଶୋଧନ ପରେ ଖଣିର ମାଲିକାନା ଉକ୍ତ ରାଜ୍ୟକୁ ଦିଆଯାଉଥିଲା। ବର୍ତ୍ତମାନ ଖଣି ନିଲାମର ସବୁ ପଇସା କେନ୍ଦ୍ରୟ ସରକାର ନେବେ ନାହିଁ। ଏହି ଅର୍ଥକୁ ରାଜ୍ୟର ବିକାଶରେ ବ୍ୟୟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ଥର ପାଇଁ ଡିଏମ୍ଏଫ୍ ଗଠନ କରାଯାଇ ଓଡିଶାରେ ୫,୦୦୦ରୁ ଅଧିକ କୋଟି ଟଙ୍କା ଆଦାୟ ବ୍ୟବସ୍ଥା ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏହି ଅର୍ଥ ଖର୍ଚ୍ଚ ହୋଇପାରୁନି। କୋଇଲା ଉତ୍ପାଦନ ସମ୍ପର୍କିତ ସମସ୍ୟା ଉପରେ ଶ୍ରୀ ପ୍ରଧାନ କହିଲେ,ରାଜ୍ୟ ସରକାର ଜମି ଅଧିଗ୍ରହଣରେ ସହଯୋଗ ହେଲେ କୋଇଲା ଉତ୍ପାଦନ ସୁବିଧାରେ ହେବ। କୋଇଲା ଉତ୍ପାଦନର ଅଭାବ ବେଳେବେଳେ ନାଲକୋକୁ ସମସ୍ୟାରେ ପକାଉଛି। କୋଇଲା ଉତ୍ପାଦନ କମ୍ ହେଲେ କେବଳ ରାଜ୍ୟର ରାଜସ୍ୱ କମୁନାହିଁ, କେନ୍ଦ୍ର ସରକାରଙ୍କ ରାଜସ୍ୱ କମିବା ସହ ବିଦ୍ୟୁତ ଉତ୍ପାଦନ ଏବଂ କଳ କାରଖାନା ଚାଲିବା ମଧ୍ୟ ପ୍ରଭାବିତ ହେଉଥିବା ଶ୍ରୀ ପ୍ରଧାନ କହିଛନ୍ତି।
ଉତ୍ସବରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରୋତୋ ବାଗଚୀ ଦେଶ ବିଦେଶର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଦକ୍ଷତା ବିକାଶ, ଟୋଟାଲ କ୍ୱାଲିଟି ମ୍ୟାଜେନମେଣ୍ଟ ଏବଂ ଉଦ୍ୟୋଗିକତା ଉପରେ ମତ ରଖିଥିଲେ। ଏଥିରେ ଏଏଆଇ ଅଧ୍ୟକ୍ଷ ତଥା ନାଲ୍କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଇନ୍କାଲ୍ ୨୦୧୯ ସଫଳତାର ଶେଷ ହୋଇଥିବା ନେଇ ସମସ୍ତ ଅଂଶୀଦାର ଏବଂ ସଦସ୍ୟ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସମ୍ମଳନୀ ଆଗାମୀ ଦିନରେ ଆଲୁନିମିୟମ୍ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବା ସହ ଅନେକ ଉପଯୋଗୀ ପରାମର୍ଶ ପ୍ରଦାନ କରିବ ବୋଲି ସେ କହିଛନ୍ତି।