www.samajalive.in
Monday, December 15, 2025
26.1 C
Bhubaneswar

ଛୁଟିରେ ରହି ୨ବର୍ଷର ଦରମା ନେଇଛନ୍ତି ମନ୍ତ୍ରୀଙ୍କ ବୋହୂ: ପିଏଚ୍‌ଡି କରୁଛି, ସବୁ କାଗଜାତ ଅଛି କହିଲେ ମନ୍ତ୍ରୀ

ଭୁବନେଶ୍ବର: ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ଛୁଟିରେ ରହି ମାସ ମାସ ଧରି ଦରମା ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସେ କୁଆଡେ ଉତ୍କଳ ବିଶ୍ବବିଦ୍ୟାଳୟରେ ପିଏଚଡି କରୁଥିବା ଦର୍ଶାଇ ଏଭଳି ଛୁଟି ନେଇଥିଲେ ବୋଲି ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯେଉଁ ତଥ୍ୟ ଦେଇଥିଲେ ତାହା ମଧ୍ୟ ବିଭ୍ରାନ୍ତିକର ବୋଲି ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ତଥ୍ୟରୁ ଜଣାପଡିଛି। ଆରଟିଆଇ ତଥ୍ୟ ଅନୁଯାୟୀ, ଉତ୍କଳ ବିଶ୍ବବିଦ୍ୟାଳୟରେ ଏଭଳି ନାମଧାରୀ କୌଣସି ମହିଳା ଅଧ୍ୟାପିକା ପିଏଚଡି କରୁ ନଥିବା ଉତ୍ତର ଆସିଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋଦ୍ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂଙ୍କ ନାଁରେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଉକ୍ତ ମହାବିଦ୍ୟାଳୟର ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଥିବାବେଳେ ତାଙ୍କ ଅଧ୍ୟାପିକା ବୋହୂ ୨୦୧୬ରୁ ୨୦୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବା ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି। ଏହି ଛୁଟି ଲାଗି ଅଧ୍ୟାପିକା ଜଣକ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିବା ଦର୍ଶାଇଥିଲେ; ତାହା ମିଛ ବୋଲି ଆରଟିଆଇ ତଥ୍ୟରୁ ଧରାପଡ଼ିବା ପରେ ଏହାକୁ ନେଇ ଲୋକାୟୁକ୍ତଙ୍କ ପାଖରେ ଫେରାଦ ହୋଇଛନ୍ତି ଆରଟିଆଇ କର୍ମୀ ଜୟକୃଷ୍ଣ। ଏଣେ ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କୁ ଘେରିଛି ବିଜେପି। ମନ୍ତ୍ରୀ ନିଜ କ୍ଷମତାର ଦୁରୁପଯୋଗ କରିଥିବା ବିଜେପି ଅଭିଯୋଗ ଆଣିଛି।

ଢେଙ୍କାନାଳ ଜିଲା କାମାକ୍ଷାନଗର କଲେଜରେ ଏଭଳି ଦୁର୍ନୀତିର ରହସ୍ୟ ଉନ୍ମୋଚନ କରିବା ଲାଗି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ। ଜୟକୃଷ୍ଣଙ୍କ କହିଛନ୍ତି ଯେ, କାମାକ୍ଷାନଗର କଲେଜରେ ବର୍ଷ ବର୍ଷ ଧରି ଦୁର୍ନୀତି ଚାଲିଛି। ଏମିତିକି ପ୍ରାଣୀ ବିଜ୍ଞାନ (ଜୁଲୋଜି) ବିଭାଗରେ ଅଧ୍ୟାପିକା ଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ଛୁଟିରେ ଥାଇ ବି ଉଠାଇଛନ୍ତି ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ମଧ୍ୟ ଲିପ୍ସା ପେମେଣ୍ଟ ରେଜିଷ୍ଟରରେ ନିଜେ ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ଦରମା ଉଠାଇଛନ୍ତି। ଲିପ୍ସା କୁଆଡ଼େ ସେତେବେଳେ ପିଏଚଡ଼ି କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯାଇଥିବା କଲେଜ ପକ୍ଷରୁ ତଥ୍ୟ ଦିଆଯାଇଛି; ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ ଲିପ୍ସା ପ୍ରଧାନ ବୋଲି କୌଣସି ଅଧ୍ୟାପିକା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରିବାକୁ ଆସି ନ ଥିଲେ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବା ଜୟକୃଷ୍ଣ କହିଛନ୍ତି।

- Advertisement -

ଆରଟିଆଇ କର୍ମୀ ଶ୍ରୀ ବେହେରାଙ୍କ କହିବାନୁଯାୟୀ, ଏଠି କାମାକ୍ଷାନଗର କଲେଜ କର୍ତ୍ତୃପକ୍ଷ ସତ କହୁଛନ୍ତି ନା ଉତ୍କଳ ବିଶ୍ୱବିଦ୍ୟାଳୟର ତଥ୍ୟ ଠିକ୍‌। ଯେହେତୁ କଲେଜ୍ ଗଭର୍ଣ୍ଣିଂବଡ଼ି କାଉନସିଲ୍ ଅଧ୍ୟକ୍ଷ ନିଜେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତେଣୁ ଅଧ୍ୟାପିକା ଲିପ୍ସା ପ୍ରଧାନଙ୍କୁ ତତ୍କାଳୀନ କଲେଜ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଏଭଳି ଅନୁକମ୍ପା ଦେଖାଇଥିବା ସେ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ସେ ପୂର୍ବରୁ ଏ ନେଇ ତଥ୍ୟ ମାଗିଥିବାବେଳେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ସଂପ୍ରତି ମହାବିଦ୍ୟାଳୟ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଛନ୍ତି ଯେ, ୨୦୧୯ ନଭେମ୍ବରରୁ ସେ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ତେଣୁ ପୂର୍ବ ଘଟଣାର ଅନୁଧ୍ୟାନ କରିବେ। ଅନ୍ୟପଟେ ଅଭିଯୋଗରେ ଛନ୍ଦି ହୋଇଥିବା ଅଧ୍ୟାପିକା ଲିପ୍ସା ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯେହେତୁ ମାମଲା ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଛି ତେଣୁ ଏବେ ସେ କିଛି କହିବା ଠିକ୍ ହେବନି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିଜ ଅଧ୍ୟାପିକା ବୋହୂଙ୍କୁ ଅନୁକମ୍ପା ଦେଖାଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ​ସେ କହିଛନ୍ତି ଯେ, ବିଜେଡି ସରକାରରେ ମନ୍ତ୍ରୀ ଓ ସାଂସଦଙ୍କ ପାଇଁ ଗୋଟିଏ ନିୟମ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାଇଁ ଅଲଗା ନିୟମ ହେଉଛି। ତେବେ ଏ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ମୋ ବୋହୂ ପିଏଚ୍‌ଡି କରିବା ପାଇଁ ଆଡମିଶନ କରିଥିଲା। ତେବେ ପୁଅ ଦେହ ଖରାପ ହେବାରୁ ସେ କ୍ଲାସ କରିପାରି ନ ଥିଲା। ଚୁକ୍ତିଭିତ୍ତିକ ଅଧ୍ୟାପିକା ଭାବେ ସେ କଲେଜରେ ନିଯୁକ୍ତି ପାଇଛି। କଲେଜରେ କ୍ଲାସ କରିଛି, ପରୀକ୍ଷା ଇନ୍‌ଭେଜିଲେଟର ଭାବେ ଦାୟିତ୍ୱ ତୁଲାଇଛି। ବେଆଇନ ଭାବେ କୌଣସି ଦରମା ସେ ଉଠାଇ ନାହିଁ। ବାଣୀବିହାର ଜୁଲୋଜି ଡିପାର୍ଟମେଣ୍ଟରେ ପିଏଚ୍‌ଡି କରୁଛି, ସବୁ କାଗଜାତ ଅଛି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories