ଭୁବନେଶ୍ବର : ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକାର ମେଧା ତାଲିକା ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ। ଆସନ୍ତା ୧୦ରେ ଏହି ତାଲିକା ପ୍ରକାଶ କରିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି କିଛି ପାଠ୍ୟକ୍ରମର ଫଳ ପ୍ରକାଶ ପାଇ ନଥିବାରୁ ସାର୍ଟିଫିକେଟ୍ ଅପଲୋଡ୍ ଅବଧିକୁ ମଧ୍ୟ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି। ଏନେଇ ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍ ଅଧିକାରୀ ମିହିର କୁମାର ଦାସ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
ରାଜ୍ୟର ମୋଟ ୨୮ଟି ପରୀକ୍ଷା କେନ୍ଦ୍ରରେ ଗତମାସ ୧୨ରୁ ୨୨ ଯାଏଁ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା। ମୋଟ ୬୩ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବାବେଳେ ପ୍ରାୟ ୫୦ ହଜାର ବିଦ୍ୟାର୍ଥୀ ପ୍ରବେଶିକା ଦେଇଥିଲେ। ନଭେମ୍ବର ୫ ସାର୍ଟିଫିକେଟ୍ ଦାଖଲର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଆସନ୍ତା ୧୦ ତାରିଖ ରାତି ୧୧ଟା୪୫ ସୁଦ୍ଧା ନିଜ ସ୍ନାତକ(+୩) ପାଠ୍ୟକ୍ରମର ମାର୍କ ସାମ୍ସ ପୋର୍ଟାଲରେ ଅପଲୋଡ୍ କରିପାରିବେ। ବିବିଏ ଓ ବିସିଏ ଭଳି କିଛି ପାଠ୍ୟକ୍ରମର ଫଳ ପ୍ରକାଶ ପାଇନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସମସ୍ତ ଶିକ୍ଷାନୁଷ୍ଠାନର ଏକକ ମେଧା ତାଲିକା ଆସନ୍ତା ୧୬ ରେ ପ୍ରକାଶ ପାଇବ। ମେଧା ତାଲିକା ଅନୁସାରେ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଡିସେମ୍ବର ୧୦ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ଶେଷ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ରାଜ୍ୟର ୮୦ ମହାବିଦ୍ୟାଳୟ ୮ ହଜାର ବିବିଏ ଓ ବିସିଏ ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ପାଇନଥିବାରୁ ସେମାନେ ମାର୍କ ଅପଲୋଡ୍କୁ ନେଇ ଚିନ୍ତାରେ ଥିବା ଖବର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପାଇବା ସହ ସାର୍ଟିଫିକେଟ୍ ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି।



