ମିନି ଷ୍ଟାଡିୟମରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ଆଠଗଡ :  ଆଠଗଡର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମର ଜମି ଜବରଦଖଲ ହୋଇଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ବିଦ୍ୟାଳୟର କେତେକ ପୁରାତନ ଛାତ୍ର ସ୍ୱର ଉତ୍ତୋଳନ କରିବା ସହ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ବିଶ୍ୱନାଥ ବିଦ୍ୟାପୀଠର ନୂଆ ଛାତ୍ରାବାସ ଥିବା କୃଷ୍ଣରସିକପୁର ମୌଜା ଓ ରାଧାଗୋବିନ୍ଦପୁର ମୌଜାରେ ମୋଟ ୮.୧୨ ଏକର ଜମି ମଧ୍ୟରୁ ପ୍ରାୟ ୩ଏକର ଜମି ଜବରଦଖଲ ହୋଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ନୂଆ ଛାତ୍ରାବାସରେ ଗୋପବନ୍ଧୁ ମହିଳା କଲେଜ ଚାଲିଥିବାବେଳେ ନିକଟବର୍ତ୍ତୀ ଖେଳପଡିଆ ଅଞ୍ଚଳରେ ଏହି ଜମି ଜବରଦଖଲ ହୋଇଛି । ଏଥି ସହିତ ପୂର୍ବରୁ ଖେଳପଡିଆ ମଧ୍ୟରେ ରହିଥିବା ଏକ ଚଲାରାସ୍ତାକୁ ସ୍ଥାୟୀ ଭାବେ ଏକ ୨୦ଫୁଟ ଓସାରର ରାସ୍ତା ନିର୍ମାଣ କରିବା ପାଇଁ ତହସିଲ ପକ୍ଷରୁ ବିଦ୍ୟାଳୟ ନାମରେ ଥିବା ପଟ୍ଟା ଜମି କିପରି ଯୋଗାଇ ଦିଆଗଲା ତାକୁ ନେଇ ପୁରାତନ ଛାତ୍ର ପ୍ରଶ୍ନ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତହସିଲଦାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ଏବଂ ବିଶ୍ୱନାଥ ବିଦ୍ୟାପୀଠର ରେକର୍ଡଭୁକ୍ତ ଜମିରୁ ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ପୁରାତନ ଛାତ୍ରମାନେ ଦାବି କରିଛନ୍ତି । ଏ ସଂପର୍କୀତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଦିପ୍ତୀମୟୀ ବେହେରା ଏବଂ ଏହାର ନକଲ ତହସିଲଦାର ପ୍ରିୟବ୍ରତ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଜଗଦାନନ୍ଦ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଭଞ୍ଜ, ସରୋଜ ଦାସ, ଶିବନାରାୟଣ ପଟ୍ଟନାୟକ, ସନ୍ତୋଷ ବାରିକ, ବିଚିତ୍ରାନନ୍ଦ ସେଠୀ, ବିକାଶ ପଟ୍ଟନାୟକ ଓ ସତ୍ୟଜିତ୍‍ ପଟ୍ଟନାୟକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ।

kalyan agarbati

Comments are closed.