ଓଡ଼ିଶାରେ ବନାଗ୍ନି ସମସ୍ୟା : ଭୂପେନ୍ଦ୍ର ଯାଦବଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

କ୍ଷମତା ସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ପାଇଁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର :  ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ  ସାକ୍ଷାକ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପତ୍ର ଦେଇଛନ୍ତି। ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ ଥିବା ସହ ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଓ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଏହାର କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି।ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ପାଇଁ ମିଳିତ ବୈଠକ ଓ ଆଗାମୀ ଦିନରେ ମୁକାବିଲାର ଯୋଜନା ପ୍ରସ୍ତୁତ ପାଇଁ ଶ୍ରୀ ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଶ୍ରୀ ପ୍ରଧାନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର ୨୦୨୨ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୮୭୧ଟି ବଡ଼ ଧରଣର ଜଙ୍ଗଲରେ  ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଗ୍ରେ ରହିଛି। ଶ୍ରୀ ପ୍ରଧାନ ପତ୍ରରେ ସରକାରୀ ତଥ୍ୟ ଉଲ୍ଲେଖ କରି ଲେଖିଛନ୍ତି, ଓଡ଼ିଶା ପଛକୁ କର୍ଣ୍ଣାଟକ, ତେଲଙ୍ଗାନା ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟ ଅଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୨୫ଟି ବନାଗ୍ନିର ଖବର ସାମ୍ନାକୁ ଆସିଛି। ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର ୩୫ ପ୍ରତିଶତ ବୋଲି ଆକଳନ କରାଯାଇଛି। ବିଗତ ଚାରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ଚାରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି ।

prayash

୨୦୨୧ ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା । ରାଜ୍ୟରେ ୫୧ ହଜାର ୯୬୧ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ୨୦୨୧ ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ପ୍ରଧାନ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

ରାଜ୍ୟ ଜଙ୍ଗଲ ସମେତ ଅଗ୍ନିଶମ ବିଭାଗକୁ ଜଙ୍ଗଲ ନିଆଁର ସାମ୍ନା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଯାଇପାରୁନାହିଁ । ସେଥିପାଇଁ ପତ୍ରରେ ଚିନ୍ତାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଅନେକ ସ୍ଥାନକୁ ଅଗ୍ନିଶମ ଗାଡ଼ି ପହଞ୍ଚିବା ସମ୍ଭବ ହେଉ ନ ଥିବାରୁ ବନାଗ୍ନି ଲିଭାଇବା ପାଇଁ ହେଲିକପ୍ଟର ଓ ଆକାଶ ମାର୍ଗରୁ ଅନ୍ୟାନ୍ୟ ଉପାୟର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଜଙ୍ଗଲ ବିଭାଗ ମଧ୍ୟରେ ମିଳିତ ବୈଠକ କରି ଜଙ୍ଗଲ ନିଆଁର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ  ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଜଙ୍ଗଲ, ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେଇ  ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। କେନ୍ଦ୍ର-ରାଜ୍ୟ ପ୍ରତିନିଧି ତଥା ପରିବେଶବିତ ଏବଂ ଜଙ୍ଗଲ ସୁରକ୍ଷାରେ ସାମିଲ ଜନସାଧାରଣଙ୍କୁ ନେଇ ଏକ କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା  ପାଇଁ  ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

kalyan agarbati

Comments are closed.