ଓଡ଼ିଶାରେ ଅକ୍ଷୟ ଶକ୍ତିର ଉତ୍ପାଦନ ନେଇ ବୈଠକ: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା କଲେ ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ର ପ୍ରତିନିଧି

ଭୁବନେଶ୍ୱର:  ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ର ସୁବ୍ରତ ତ୍ରିପାଠୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ପିଏସ୍‌ପି (ପମ୍ପଡ୍‌ ଷ୍ଟୋରେଜ ପ୍ରୋଜେକ୍ଟ) ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଯେଉଁଥିରେ ପାହାଡ଼ିଆ ଅଞ୍ଚଳରେ ପମ୍ପ ସାହାଯ୍ୟରେ ପାଣିକୁ ଉଠାଯାଇ ଗୋଟିଏ ଜାଗାରେ ଏକତ୍ରିତ କରି ରଖାଯାଇ ସେହି ଜଳକୁ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏହି ପ୍ରକଳ୍ପକୁ ଓଡ଼ିଶାରେ ସ୍ଥାପନ ପାଇଁ ଆଦାନୀ ଗ୍ରୁପ୍‌ ଆଗ୍ରହୀ ବୋଲି ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଆଦାନୀ ଗ୍ରୁପ୍‌ର ପ୍ରତିନିଧି କହିଥିଲେ।

ଓଡ଼ିଶାର ନୟାଗଡ଼ର ବିରିଗଡ଼ ଅକ୍ଷୟ ଶକ୍ତିର ଉତ୍ସ ହୋଇଥିବାରୁ ଏହି ସ୍ଥାନରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରି ବିଦ୍ୟୁତ ଉତ୍ପାଦନ କରିବାକୁ ଅଦାନୀ ଗ୍ରୁପ୍‌ ଆଗ୍ରହୀ । ନୟାଗଡ଼ ସହ ବରଗଡ଼, ବଲାଙ୍ଗିର ଭଳି ବହୁ ସ୍ଥାନରେ ଏଭଳି ପ୍ରକଳ୍ପ ସ୍ଥାପନା ନିମନ୍ତେ ଭରପୂର ସୁଯୋଗ ରହିଛି।

ଓଡ଼ିଶାରେ ଅକ୍ଷୟ ଶକ୍ତିର ଭରପୂର ଭଣ୍ଡାର ରହିଛି। କେବଳ ଆବଶ୍ୟକ ଏହାର ସଫଳ ବ୍ୟବହାର ଏବଂ ଆଦାନୀ ଗ୍ରୀନ୍‌ ଏନର୍ଜି ଏହି ଅବ୍ୟବହୃତ ଉତ୍ସଗୁଡ଼ିକରୁ ଅକ୍ଷୟ ଶକ୍ତି ଉତ୍ପାଦନ କରି ରାଜ୍ୟର ବିଦ୍ୟୁତ ଚାହିଦା ମେଣ୍ଟାଇବାକୁ ଆଗ୍ରହୀ। ଏଥିପାଇଁ ୨୦୨୨ ମସିହାରେ ରାଜ୍ୟ ସରକାର ଅକ୍ଷୟ ଶକ୍ତିର ବ୍ୟବହାର ନେଇ ଏକ ନୀତି ପ୍ରଣୟନ କରିଥିଲେ । ଆଜିର ସମୟରେ ସବୁଜ ଶକ୍ତିଚାଳିତ ଉଦ୍ୟୋଗକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ବିଶେଷ କରି ଆଲୁମିନିୟମ୍‌ ଶିଳ୍ପ ଭଳି ଉଦ୍ୟୋଗରେ ସବୁଜ ଶକ୍ତିର ବ୍ୟବହାର କରି ପରିବେଶର ସୁରକ୍ଷା ଉପରେ ସରକାର ଚେଷ୍ଟିତ।

ଏହି ପ୍ରକଳ୍ପ ସ୍ଥାପନ ଦ୍ୱାରା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରିବ । ପରିବେଶ ସୁରକ୍ଷା ସହ ପାରିପାର୍ଶ୍ୱ ଅଞ୍ଚଳର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ୨୦୩୦ ସୁଦ୍ଧା ୫୦ ପ୍ରତିଶତ ଅକ୍ଷୟ ଶକ୍ତିର ବ୍ୟବହାର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ଲକ୍ଷ୍ୟ ପୂରଣ କରିବାରେ ଏହା ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ।

ବୈଠକରେ ପ୍ରକଳ୍ପ ନିମନ୍ତେ ଖର୍ଚ୍ଚ ଆକଳନ, ବୈଷୟିକ ଜ୍ଞାନକୌଶଳ, ସ୍ଥାନ ନିରୁପଣ ଆଦି ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆଦାନୀ ଗ୍ରୀନ୍‌ ଏନର୍ଜି ଗ୍ରୁପ୍‌ର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

Comments are closed.