ଇସଲାମାବାଦ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ପିଓକେରେ ଭାରତର ବିମାନ ଆକ୍ରମଣ ଏବଂ ବିଶ୍ଵ ସମୁଦାୟର ଚାପରେ ପାକିସ୍ତାନ ପୁଣି ଥରେ ମୁଣ୍ଡ ନୁଆଁଇଛି। ରାୱଲପିଣ୍ଡିସ୍ଥିତ ପାକିସ୍ତାନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜୈଶ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କୁହାଯାଉଛି ଯେ, ତାଙ୍କୁ ଜୈଶର କ୍ୟାମ୍ପକୁ ପଠାଇ ଦିଆଯାଇଛି। ଅନ୍ୟପଟେ ପାକ୍ ସରକାରଙ୍କ ଏଭଳି ଆଭିମୁଖ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଜୈଶ ସଂଗଠନ। ସଂଗଠନ ପକ୍ଷରୁ ପାକ୍ ସରକାରଙ୍କ ଉପରେ ଅନେକ ଆରୋପ ଲଗାଯାଇଛି।
ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନ ସେନା ମାସୁଦଙ୍କୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସେନା ହସ୍ପିଟାଲରୁ ବହାବଲପୁରର ଗଥଘାନିସ୍ଥିତ ଜୈଶ କ୍ୟାମ୍ପକୁ ସ୍ଥାନାନ୍ତର କରିଛି। ଏହାର କିଛି ସମୟ ପରେ ଜୈଶ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରାଯାଇ ଏକ ବୟାନ ଜାରି କରାଯାଇଛି। ଇମ୍ରାନ ସରକାର ଭାରତ ସହିତ ବିଶ୍ଵ ସମୁଦାୟ ସମ୍ମୁଖରେ ମୁଣ୍ଡ ନୁଆଁଇଛନ୍ତି ବୋଲି ଜୈଶ ଅଭିଯୋଗ କରିଛି। ଇମ୍ରାନ ସରକାର ପୂର୍ବତନ ରାଷ୍ଟ୍ରପତି ପରେଭେଜ ମୁଶରଫଙ୍କ ଯୋଜନାକୁ ଅନୁସରଣ କରୁନାହାନ୍ତି ବୋଲି ଜୈଶ ସଂଗଠନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଆମେରିକାରେ ୯/୧୧ ଆକ୍ରମଣକୁ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ମୁଶରଫ ବିରୋଧ କରିଥିଲେ। ଜୈଶ ଏହା ଜାଣିବା ପରେ ତତ୍କାଳୀନ ସରକାର ଉପରେ କ୍ରୋଧିତ ହେବା ସହ ମୁଶରଫଙ୍କ ଇସ୍ତଫା ଦାବି କରିଥିଲା। ଏପରି କି ଜୈଶ ସଂଗଠନ ପକ୍ଷରୁ ଇସଲାମାବାଦ, ମରି, ତକ୍ଷଶିଳା ଏବଂ ବହାବଲପୁରରେ ଆକ୍ରମଣ କରାଯାଇଥିଲା।
ତେବେ ବର୍ତ୍ତମାନ ଇମ୍ରାନଙ୍କ ଏଭଳି ପଦକ୍ଷେପ ପଛରେ କୌଣସି ନୂଆ ଚାଲ୍ ରହିଥିବା ସନ୍ଦେହ କରାଯାଉଛି। ଭାରତକୁ ଶାନ୍ତ କରିବା ଲାଗି ସେ ଏହି ପଦକ୍ଷେପ ନେଇଛନ୍ତି ଏବଂ ଜୈଶକୁ ଭିତିରି ସମର୍ଥନ କରୁଥିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ପୁଲୱାମା ଆକ୍ରମଣ ପରେ ଜୈଶଙ୍କୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ସେନା ପକ୍ଷରୁ ୧୦ ସ୍ପେଶାଲ ସର୍ଭିସ କମାଣ୍ଡୋ ଗ୍ରୁପକୁ ମୁତୟନ କରାଯାଇଥିଲା। ତେବେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ ସମୟରେ ଜୈଶଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ମାତ୍ର ଜୈଶ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ମାସୁଦ ବଞ୍ଚିଛନ୍ତି ଏବଂ ସେ ଭଲ ଥିବା ସଂଗଠନ ପକ୍ଷରୁ କୁହାଯାଇଛି।



