ମର୍ଦ୍ଦାରୋଡ଼ : ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଅମାନୁଷିକ ଭାବେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ସିଂଲା ଥାନା ପୁଲିସ ଗିରଫ କରିଥିବା ସ୍ଥଳେ ଅନ୍ୟ ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ମାତ୍ର ସେହିଦିନ ଏହି ଥାନା ଅଧୀନ ପାଣିଶୂଳିଆ ଅଙ୍ଗନବାଡ଼ି କେନ୍ଦ୍ରରୁ ଜୈନିକ ଛାତ୍ର ଅଣ୍ଡା ନେଇ ଘରକୁ ଯିବା ପରେ ତାହା ପଚା ଅଣ୍ଡା ବୋଲି ଜଣାପଡ଼ିବାରୁ ଉକ୍ତ ଛାତ୍ରର ଅଭିଭାବକ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଅଙ୍ଗନବାଡ଼ି ଦିଦିଙ୍କୁ ପିଟିବା ଓ ଘଟଣାର ତଦନ୍ତ କରିବାକୁ ଯାଇଥିବା ସର୍କଲ ସୁପର ଭାଇଜରଙ୍କୁ ଅସଦାଚରଣ କରିବା ଘଟଣାକୁ ୫ଦିନ ବିତିଥିଲେ ହେଁ ଅଭିଯୁକ୍ତଙ୍କ ପ୍ରତି ପୁଲିସର ଅନୁକମ୍ପା ମନୋଭାବ ପ୍ରଦର୍ଶନ ଯୋଗୁ ସେମାନେ ଫେରାର୍ ହୋଇଯିବା ଲାଗି ସଫଳ ହୋଇଥିବା।ଫଳରେ ପୁଲିସର ଏଭଳି କାର୍ଯ୍ୟରେ ବସ୍ତା ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ କ୍ଷୁବ୍ଧତା ପ୍ରକାଶ ପାଇଛି।
ଅଭିଯୋଗରୁ ପ୍ରକାଶ ଯେ ଗତ ବୁଧବାର ଏହି କେନ୍ଦ୍ରରେ ପଢୁଥିବା ସୁଜିତ୍ କୁମାର ଦାସଙ୍କ ପୁଅ ମେଘ ଜ୍ୟୋତି ଘରକୁ ସିଝା ଅଣ୍ଡା ନେଇ ଯାଇଥିଲେ।ମାତ୍ର ଅଣ୍ଡାଟି ଖରାପ(ପଚା) ବାହାରିବାରୁ ବାପା ସୁଜିତ୍ କୁମାର ଦାସଙ୍କ ସହ ସ୍ତ୍ରୀ ରଶ୍ମିରଞ୍ଜିତା ଦଳାଇ(ଓ୍ବାର୍ଡ଼ମେମ୍ବର) ତହିଁ ପରଦିନ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ବୀଣାପାଣି ଦାସ ଓ ମାଆକୁ ସାହାଯ୍ୟ ପାଇଁ ଯାଇଥିବା ତାଙ୍କ ଝିଅ ଶୁଭଲକ୍ଷ୍ମୀ ଗିରିକୁ ଗାଳି ଗୁଲଜ ସହ ମାରପିଟ୍ କରିଥଲେ।ଏନେଇ ଅଙ୍ଗନବାଡ଼ି କର୍ମୀ ବୀଣାପାଣି ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଶୁକ୍ରବାର ସର୍କଲ ପରିଦର୍ଶନରେ ଯାଇଥିବା ସୁପରଭାଇଜର ବାସନ୍ତୀ ପ୍ରଧାନଙ୍କୁ ଦେଖି ସୁଜିତ ଓ ତାର ଭାଇ ଅଜିତ ମିଶି ଶ୍ରୀମତି ପ୍ରଧାନଙ୍କୁ ଅସଦାଚରଣ କରିବା ସହ ତାଙ୍କ ଭେନିଟି ବ୍ୟାଗରୁ ୨୦ ହାଜର ଟଙ୍କା ସହ କିଛି ସରକାରୀ କାଗଜପତ୍ରକୁ ଛଡାଇ ନେଇଥିଲେ।ଏହି ଘଟଣାର କାର୍ଯାନୁଷ୍ଠାନ ପାଇଁ ବସ୍ତା ସି ଡି ପି ଓ ଦୀପ୍ତିରାଣୀ ସିଂହ ସରକାରୀ ଚିଠି ନମ୍ବର ୫୯୭/୨୦.୯.୨୪ ରେ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ସୁଜିତ ଦାସ, ଭାଇ ଅଜିତ ଦାସ ଓ ସ୍ତ୍ରୀ ରଶ୍ମିରଞ୍ଜିତାଙ୍କ ନାମରେ ୧୬୪/୨୪ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା।
ତେବେ ଘଟଣାକୁ ୫ଦିନ ବିତିଥିଲେ ହେଁ ଅଭିଯୁକ୍ତଙ୍କୁ ପୁଲିସ ଘଣ୍ଟ ଘୋଡ଼ାଉଥିବା ଅଙ୍ଗନବାଡ଼ି କର୍ମୀ ବୀଣାପାଣି ଅଭିଯୋଗ କରିଛନ୍ତି।ତେବେ ପୁଲିସର ଅନୁକମ୍ପା ମନୋଭାବ ପ୍ରଦର୍ଶନ ଯୋଗୁ ସମସ୍ତ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଘଟଣାକୁ ନେଇ କ୍ଷୁବ୍ଧତା ପ୍ରକାଶ ପାଇଛି।ଏନେଇ ସିଂଲା ଥାନା ଓଆଇସି ଭୂବନ ମୋହନ ସେଠୀଙ୍କୁ ପଚାରିବାରୁ ତାହା ପୁରୁଣା ତଥା ବାସି କଥା। ସେମିତି କିଛି ହୋଇନାହିଁ, ଉଭୟଙ୍କ ମଧ୍ୟରେ ମାତ୍ର ଠେଲାପେଲା ହୋଇଥିବା କହିଥିଲେ।



