ଖଡିଆଳ/ବୋଡେନ : ଦୀର୍ଘ ଦିନର ନିରବତା ପରେ ନୂଆପଡା ଜିଲାରେ ମାଓବାଦୀ ପୁଣି ଥରେ ଉପସ୍ଥିତି ଜାହିର କରିଛନ୍ତି। ନୂଆପଡାରୁ ଭଇଁସାଦାନୀ ଚାଲୁଥିବା ସରକାରୀ ବସ୍ ‘ବିଜୁ ଗାଁ ଗାଡି’ରେ ସୋମବାର ରାତିରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ଲାଲ ରଙ୍ଗରେ ଗାଡି ସାରା ବିଭିନ୍ନ ସ୍ଲୋଗାନ ଲେଖିଛନ୍ତି।
ନୂଆପଡ଼ା ଜିଲା ବୋଡେନ ବ୍ଲକ ସ୍ଥିତ ଭଇଁସାଦାନି ଗ୍ରାମ ଠାରୁ ନୂଆପଡା ଜିଲାର ଖରିଆର ରୋଡ ସହର ପର୍ଯ୍ୟନ୍ତ ଗମନା ଗମନ ପାଇଁ ବିଜୁ ଗାଁ ଗାଡି (ନଂ ଓଡି ୨୬ ଏ ୩୫୬୯) ବସ ଯାତାୟତ କରିଥାଏ। କିନ୍ତୁ ସୋମବାର ରାତ୍ରୀ ପ୍ରାୟ ୧୧/୧୨ ମଧ୍ୟରେ ୮/୧୦ ଜଣ ମାଓବାଦୀ ଆସି ବୋଡେନ ବ୍ଲକର ମାଓ ଅଞ୍ଚଳ ଭାବରେ ପରିଚିତ ଭଇଁସାଦାନୀରେ ରାତ୍ରୀ ରହଣି କରୁଥିବା ସରକାରୀ ବସରେ ମାଓ ବ୍ୟାନର ମାରିଥିଲେ। ଏହାସହ ସେମାନେ ଏହି ବସର ଚାରିଆଡେ ଲାଲ ରଙ୍ଗରେ ନିଜର ବାର୍ତ୍ତା ଲେଖି ନିଜର ଉପସ୍ଥିତି ଜାହିର କରିଥିଲେ। ବସର ଚାଳକ ଓ କର୍ମଚାରୀଙ୍କୁ ସେମାନେ ଲେଖିଥିବା ଏହି ସବୁ ବାର୍ତ୍ତା ନ ଲିଭାଇବା ପାଇଁ ଆଦେଶ ଦେଇ ସେଠାରୁ ଚାଲି ଯାଇଥିଲେ। ବସ ନିୟମିତ ଭାବରେ ଭଇଁସାଦାନି ଗାଁ ଠାରୁ ବାହାରି ବୋଡେନ ପହଞ୍ଚିଲା ପରେ ବୋଡେନ ପୁଲିସ ଖବର ପାଇ ମହରାଯୋର ପାଖରେ ବ୍ୟାନର ଓ ପୋଷ୍ଟରକୁ ଜବତ୍ କରିବା ସହ ମାଓବାଦୀମାନେ ଲେଖିଥିବା ବାର୍ତ୍ତାକୁ ଲିଭାଇଥିଲେ ବୋଲି ବସ ଚାଳକ ପ୍ରକାଶ କରିଛନ୍ତି।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ନାମରେ ଜାରି କରାଯାଇଥିବା ଏହି ବ୍ୟାନରରେ ସରକାରଙ୍କ ମାଓଦମନ ନୀତିକୁ ବିରୋଧ କରାଯାଇଛି। ହିନ୍ଦି ଓ ଓଡିଆ ଭାଷାରେ ଲାଲ କପଡା ବ୍ୟାନର ତଥା ଧଳା କାଗଜରେ କମ୍ପୁଟର ଡିଟିପି କରା ଯାଇଥିବା ପୋଷ୍ଟରରେ ମାଓବାଦୀ ଓ ମାଓବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ପୁଲିସ ସାଧାରଣ ଲୋକଙ୍କ ନାମରେ କେଶ କରିବା ସହ ଜେଲଦଣ୍ଡ ଦେଉଥିବା ଅଭିଯୋଗ କରାଯାଇଛି। ଏହାର ବିରୋଧରେ ଆସନ୍ତା ୩୧ ତାରିଖ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି।
ବିଜୁ ଗାଁ ଗାଡ଼ିରେ ମାଓ ପୋଷ୍ଟର
Popular Categories



