୮ ଜିଲାରେ ମାଓବାଦୀ ଅଧିକ ସକ୍ରିୟ : ଡିଜିପି

0

ଭୁବନେଶ୍ୱର : ରାଜ୍ୟର ମାଓ ପ୍ରଭାବିତ ଜିଲା ସଂଖ୍ୟା ୧୫କୁ ଖସି ଆସିଛି। ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ମାଓ ପ୍ରଭାବିତ ଜିଲା ସଂଖ୍ୟା ୧୯ରେ ପହଞ୍ଚିଥିଲା। ନିକଟରେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ରାଜ୍ୟ ପୁଲିସ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ୬ଟି ଜିଲାରେ ଗତ ୨ ବର୍ଷ ମଧ୍ୟରେ ଆଦୌ ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳିନାହିଁ। ତେଣୁ ଏହି ୬ ଜିଲା ମାଓ ପ୍ରଭାବିତ ଜିଲାରୁ ବାଦ୍‍ ପଡିଛି ବୋଲି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏଠାରେ କ୍ୟାମ୍ପ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଶର୍ମା କହିଛନ୍ତି, ଗତ ୨ ବର୍ଷ ମଧ୍ୟରେ ଗଞ୍ଜାମ, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ଢ଼େଙ୍କାନାଳ ଜିଲାରେ ମାଓବାଦୀଙ୍କର କୌଣସି କାର୍ଯ୍ୟକଳାପ ଓ ଗତିବିଧି ଦେଖାଯାଇନାହିଁ। ହେଲେ ଅନୁଗୋଳ ଓ ବୌଦ୍ଧ ଜିଲାରେ ଯଦିଓ ମାଓବାଦୀଙ୍କର କୌଣସି କାର୍ଯ୍ୟକଳାପ ପରିଲକ୍ଷିତ ହୋଇନାହିଁ ତଥାପି ସେମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିବାରୁ ନୂତନ କରି ଏହି ୨ଟି ଜିଲା ମାଓ ପ୍ରଭାବିତ ତାଲିକାରେ ଯୋଡି ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା। ରାଜ୍ୟର ଏବେ ୧୫ଟି ମାଓ ପ୍ରଭାବିତ ଜିଲା ମଧ୍ୟରୁ ୮ଜିଲାରେ ମାଓବାଦୀ ଅଧିକ ସକ୍ରିୟ ରହିଛନ୍ତି।
୨୦୧୭ରେ ଏହି ୮ ଜିଲାରେ ମାଓବାଦୀଙ୍କ- ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଏକାଧିକବାର ଗୁଳି ବିନିମୟ ହୋଇଛି। ପୁଲିସ ବହୁବାର ଚଢ଼ଉ କରି ମାଓବାଦୀଙ୍କ କ୍ୟାମ୍ପ ଉପରେ ଚଢ଼ଉ କରିଛି। ମାଓ ଦମନ ଲାଗି ରାଜ୍ୟ ଏସ୍‍ଓଜି, ଡିଭିଏଫ୍‍ ସହିତ ୮ ବାଟାଲିଅନ୍‍ ସିଆରପିଏଫ୍‍ ଏବଂ ୮ ବାଟାଲିଅନ୍‍ ବିଏସ୍‍ଏଫ୍‍ ଏବେ ମାଓ ପ୍ରଭାବିତ ଜିଲାଗୁଡ଼ିକରେ ମୁତୟନ ହୋଇଛନ୍ତି। କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼(କେକେବିଏନ୍‍) ଡିଭିଜନ୍‍ରେ ମାଓବାଦୀଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିବାରୁ ବୌଦ୍ଧକୁ ଏହି ମାଓ ପ୍ରଭାବିତ ଜିଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଗତବର୍ଷ କଟକ ନରସିଂହପୁର ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳିଥିବାରୁ ଅନୁଗୋଳ ଜିଲାକୁ ଏଥିରେ ସାମିଲ କରାଯାଇଛି। ୬ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳି ନ ଥିଲେ ମଧ୍ୟ ସୁରକ୍ଷା ବଳଙ୍କୁ ସମ୍ପୂ୍‍ର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇନାହିଁ। ସବୁଠାରୁ ଅଧିକ ମାଓବାଦୀ ସକ୍ରିୟ ଥିବା ବିଚ୍ଛିନ୍ନାଞ୍ଚଳରେ ରଣନୀତିରେ ପରିବର୍ତ୍ତନ କରାଯାଇ ସୁରକ୍ଷାକର୍ମୀଙ୍କର ପୁନଃ ନିୟୋଜିତ କରାଯାଉଛି ବୋଲି ସେ କହିଛନ୍ତି।

Leave A Reply