ପାଟଣା: ପୁରୁଣା ବାଇକ ସହିତ ସାଙ୍ଗକୁ ବନ୍ଧା ପକାଇ ଏକ ଭଲ ଗାଡ଼ି ଧରି ଫେରାର ହୋଇଯାଇଛି ସାଙ୍ଗ। ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ରୁଢ଼ିଆପଡା ଗ୍ରାମର ବାସିନ୍ଦା ତଥା ପଞ୍ଚାୟତର ଯୋଗାଣ ସହାୟକ ରାଜକିଶୋର ମହାନ୍ତଙ୍କ ପଲସର ବାଇକ(ଓଡ଼ି ୦୯ ପି ୫୯୦୫)କୁ ଅଭିଯୁକ୍ତ ଧରି ଫେରାର ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଶନିବାର ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ୨ ଜଣ ଯୁବକ ରୁଢ଼ିଆପଡା ନିକଟରେ ପହଞ୍ଚି ନିଜ ବାଇକରେ ତେଲ ସରିଯାଇଥିବା କହି ରାଜକିଶୋରଙ୍କ ଠାରୁ ତାଙ୍କ ପଲସରଟି ମାଗି ପେଟ୍ରୋଲ ପାଇଁ ଯାଇଥିଲେ। ତେବେ ବାଇକରେ ଥିବା ୨ ଜଣକ ମଧ୍ୟରୁ ଅନ୍ୟ ଯୁବକ ଜଣକ ସେହି ବାଇକ ସହ ରୁଢ଼ିଆପଡାରେ ଯୋଗାଣ ସହାୟକଙ୍କ ନଜରରେ ରହିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ପଲସର ନେଇ ଫେରାର ଥିବା ଯୁବକଙ୍କ ଦେଖା ମିଳି ନ ଥିଲା। ଅଟକ ଥିବା ଯୁବକ ଜଣକ ତାଙ୍କ ଘର ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ ବୋଲି କହୁଛି। ହେଲେ ପଲସର ନେଇ ଫେରାର ଥିବା ଯୁବକକୁ ସେ ଚିହିଁ ନାହିଁ ବୋଲି କହୁଥିବାରୁ ଘଟଣା ପଛରେ ସନ୍ଦେହ ସୃଷ୍ଟି ହୋଇଛି। ଅଟକ ଥିବା ଯୁବକ ପାଖରେ ଡିକି ତଡା ସାମଗ୍ରୀ ଥିବାରୁ ଏମାନେ ବାଇକ ଚୋରି ରାକେଟରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଘଟଗାଁ ପୁଲିସକୁ ସୂଚନା ଦିଆଯିବା ପରେ ସନ୍ଧ୍ୟାରେ ରୁଢ଼ିଆପଡାରେ ଅଟକ ଥିବା ଯୁବକ ଓ ଫେରାର ଯୁବକଙ୍କ ବାଇକକୁ ପୁଲିସ ଥାନାକୁ ନେଇ ଘଟଣାର ଅନୁସନ୍ଧାନ ଜାରି ରଖିଛି।



