ନୂଆଦିଲ୍ଲୀ : ବଙ୍ଗୋପସାଗରର ମାଲାକା ପ୍ରଣାଳୀଠାରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମିଳିତ ନୌସମରାଭ୍ୟାସ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଚାରି ରାଷ୍ଟ୍ରଙ୍କୁ ନେଇ ଗଠିତ ମଞ୍ଚ ‘କ୍ବାଡ’ ଏହି ସମରାଭ୍ୟାସ ପାଇଁ ଗତ ମାସରେ ନିଷ୍ପତ୍ତି ନେଇଥିଲେ। ମାଲାବାର-୨୦୨୦ ନୌସମରାଭ୍ୟାସ ନାମରେ ପରିଚିତ ଏହି କାର୍ଯ୍ୟକ୍ରମରେ ଦୀର୍ଘ ଗୋଟିଏ ଦଶନ୍ଧି (୧୩ବର୍ଷ) ପରେ ଅଷ୍ଟ୍ରେଲିଆ ସାମିଲ ହୋଇଛି।
ପୂର୍ବରୁ ଭାରତ, ଜାପାନ ଓ ଆମେରିକା ଏହି ସମରାଭ୍ୟାସ ଚଳାଇଥିଲେ। ଭାରତ ମହାସାଗର ଓ ବଙ୍ଗୋପସାଗରରେ ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରାଦୁର୍ଭାବର ମୁକାବିଲା ପାଇଁ କ୍ବାଡ ଗୋଷ୍ଠୀ ଉଭୟ ସ୍ଥଳ ଓ ସମୁଦ୍ରରେ ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ଗୋଟିଏ ବୁଡ଼ାଜାହାଜ ସହିତ ୫ ଯୁଦ୍ଧଜାହାଜ ସାମିଲ ହୋଇଥିବାବେଳେ ଆମେରିକା ନୌବାହିନୀର ଜନ୍ ଏସ୍ ମ୍ୟାକ୍କେନ୍ ନାମକ କ୍ଷେପଣାସ୍ତ୍ର ବିଧ୍ବଂସୀ ଜାହାଜ, ଅଷ୍ଟ୍ରେଲିଆର ବାଲାରତ୍ ଫ୍ରିଗେଟ୍ ଓ ଜାପାନର ବିଧ୍ବଂସୀ ଜାହାଜ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ମାଲବାର ସମରାଭ୍ୟାସକୁ ନେଇ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ବିସ୍ତାରବାଦ କାର୍ଯ୍ୟକୁ ଏହି ସମରାଭ୍ୟାସ ଏକ ଆହ୍ବାନ ହୋଇଛି। ଚୀନ କହିଛି ଯେ ଆମେରିକା ଏହାର ସହଯୋଗୀଙ୍କ ସହିତ ହାତ ମିଳାଇ ଶୀତଳ ଯୁଦ୍ଧ ଚଳାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଏହି ସମରାଭ୍ୟାସ ବେଜିଂକୁ ବିଚଳିତ କରିଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୬ରେ ଅନୁଷ୍ଠିତ କ୍ବାଡ ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକରେ ସାମରିକ ସହଯୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା।



