ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲାର ଶୁଣାଣି ପରେ ବିଚାରପତିଙ୍କ ଇସ୍ତଫା

0

ହାଇଦରାବାଦ୍‌ : ହାଇଦରାବାଦ୍‌ସ୍ଥିତ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲା ଶୁଣାଣି କରିବାର କିଛି ଘଣ୍ଟା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସ୍ୱତନ୍ତ୍ର କୋର୍ଟର ବିଚାରପତି ଜଜ ରବୀନ୍ଦ୍ର ରେଡ୍ଡୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଜଣେ ବରିଷ୍ଠ ନ୍ୟାୟିକ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରେଡ୍ଡୀ ମେଟ୍ରୋପଲିଟାନ୍‌ ମୁଖ୍ୟ ବିଚାରପତିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି, ଏହା ସହ ଆଜିର ଶୁଣାଣିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ଅନେକ ଦିନ ଧରି ସେ ଇସ୍ତଫା ଦେବା ପାଇଁ ବିଚାର କରୁଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ବିଚାରପତିଙ୍କ ଇସ୍ତଫାକୁ ନେଇ ମୁସଲମାନ ସଂଗଠନ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଓୱେସୀ ଟ୍ୱିଟ୍‌ କରିଛନ୍ତି ଯେ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଦେଇଥିବା ଜଜ୍‌ଙ୍କ ଇସ୍ତଫା ଏକ ଗୋଲକଧନ୍ଦା ସୃଷ୍ଟି କରିଛି । ପ୍ରକାଶ ଯେ ଦୀର୍ଘ ୧୧ ବର୍ଷ ପରେ ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ସ୍ୱତନ୍ତ୍ର କୋର୍ଟ ସୋମବାର ଦୋଷମୁକ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣର ଅଭାବ ଥିବା ଦର୍ଶାଇ ବିଚାରପତି ଏହି ରାୟ ଦେଇଛନ୍ତି।ସ୍ୱତନ୍ତ୍ର କୋର୍ଟଙ୍କ ଏହି ରାୟକୁ ନେଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗ ତଥା ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିସ୍ଫୋରଣ ପାଇଁ କାହାକୁ ଦାୟୀ କରାଯିବ ବୋଲି ପୀଡ଼ିତଙ୍କ ପରିବାରବର୍ଗ ପ୍ରଶ୍ନ କରିଛନ୍ତି।
ମକ୍କା ମସ୍‌ଜିଦ୍‌ରେ ୨୦୦୭ ମେ ୧୮, ଶୁକ୍ରବାର ନମାଜ ପାଠ ଚାଲିଥିବାବେଳେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏଥିରେ ୯ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୫୮ ଜଣ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣକୁ କେନ୍ଦ୍ର କରି ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥଲା। ଦଙ୍ଗାବେଳେ ପୁଲିସ ଗୁଳିରେ ଅନ୍ୟ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।

Leave A Reply