ନୂଆଦିଲ୍ଲୀ: ଆଇନଜୀବୀ ଆନ୍ଦୋଳନ ମାମଲାରେ ଏପର୍ଯ୍ୟନ୍ତ ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ୟପାଠ ଦାଖଲ କରିବାରେ ବିଫଳ ହୋଇଥିବା ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଶେଷ ସୁଯୋଗ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ନିସର୍ତ୍ତ କ୍ଷମାପ୍ରାର୍ଥନା ଏବଂ ଭବିଷ୍ୟତରେ ଅଦାଲତ ପରିସରରେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ସତ୍ୟପାଠ ଦାଖଲରେ ବିଫଳ ହେଲେ ଆସନ୍ତା ନଭେମ୍ବର ୭ ଶୁଣାଣି ବେଳେ ନ୍ୟାୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ବିଚାରପତି ସଞ୍ଜୟ କିଷନ କୌଲ ଏବଂ ବିଚାରପତି ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ମାମଲାର ଶୁଣାଣିବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଓକିଲ ଶିବାଶିଷ ମିଶ୍ର ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ନ୍ୟାୟାଳୟଙ୍କ ଆଦେଶନାମାକୁ ଅମାନ୍ୟ କରି ରାୟଗଡ଼ା ଜିଲା ବାର ଆସୋସିଏସନ ଦ୍ୱାରା ଦିନିକିଆ କାର୍ଯ୍ୟବନ୍ଦ ହୋଇଛି। ନ୍ୟାୟାଳୟ ଏଥିନେଇ ରାୟଗଡ଼ା ବାର ଆସୋସିଏସନର ଉଭୟ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରିଥିଲେ।
http://କୋଟିଆ ମାମଲା – ଆଠ ସପ୍ତାହ ମଧ୍ୟରେ ଜବାବ ଦେବ ଆନ୍ଧ୍ର
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶନାମାକୁ ଅବମାନନା କରି ଆନ୍ଦୋଳନରେ ସାମିଲ ଥିବା ୧୯୧ ଜଣ ଆଇନଜୀବୀଙ୍କ ମଧ୍ୟରୁ ୧୬୩ ଜଣ ନିସର୍ତ୍ତ କ୍ଷମାପ୍ରାର୍ଥନା କରିବା ସହ ଭବିଷ୍ୟତରେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି। ଅବମାନନାକାରୀ ତାଲିକା ସଂଖ୍ୟା ୪୬ ଓ ୧୭୧ରେ ଥିବା ଦୁଇ ଜଣ ଆଇନଜୀବୀଙ୍କ ମୃତ୍ୟୁ ଏବଂ ସଂଖ୍ୟା ୧୪୬ରେ ଥିବା ଜିତେନ୍ଦ୍ର ପ୍ରଧାନଙ୍କ ନାମରେ କେହି ଆଇନଜୀବୀ ସମ୍ବଲପୁର ବାର ଆସୋସିଏସନ ସଦସ୍ୟ ନଥିବାରୁ ସତ୍ୟପାଠ ଦାଖଲ ହୋଇପାରିନଥିବା ଜଣାପଡ଼ିଛି।



