ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ହଟିଲା ରାସ୍ତା ରୋକ

ଖୁଣ୍ଟା: ଖୁଣ୍ଟା ଥାନା ଅଙ୍ଗାର କୁଣ୍ଡିଆ ଜଙ୍ଗଲରୁ ଗତ ୨୫ ତାରିଖ ସୋମବାର ସକାଳେ ବଡସାହି ଥାନା ଅଞ୍ଚଳର ଜନୈକା ଆଦିବାସୀ ନାବାଳିକାକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣାରେ ଦୁଷ୍କର୍ମ କରିଥିବା ଦୋଷୀକୁ ଗିରଫ ଦାବିରେ ପୀଡିତାଙ୍କ ଗ୍ରାମର ଲୋକେ ଶୁକ୍ରବାର ସନ୍ଧ୍ୟାରେ ବାରିପଦା-ଉଦଳା ରାଜ୍ୟ ରାଜପଥ ୧୯ର ଡୁକୁରା ଛକରେ ଟାୟାର ଜାଳି ୪ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ। ରାସ୍ତା ରୋକ ଯୋଗୁ ଯାନବାହନ ଚଳାଚଳ ନେଇ ନଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନା ଯୋଗ୍ୟଯେ ମାର୍ଚ୍ଚ୨୫ତାରିଖ ସକାଳେ ଖୁଣ୍ଟା ଥାନା ଅନ୍ତର୍ଗତ ଅଙ୍ଗାର କୁଣ୍ଡିଆ ଜଙ୍ଗଲର ବାଉଁଶ ବୁଦା ନିକଟରେ ବଡସାହି ଥାନା ଅଞ୍ଚଳର ଜନୈକ ୧୩ ବର୍ଷର ନାବାଳିକା ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଖବର ପ୍ରଚାରିତ ହୋଇଥିଲା। ନାବାଳିକା ଉଦ୍ଧାର ପରେ ତାକୁ ମୁମୁର୍ଷ ଅବସ୍ଥାରେ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରୁ ପୁଲିସ ହେପାଜତରେ ବାରିପଦା ପିଆରଏମ ମେଡିକାଲ କଲେଜକୁ ନିଆଯାଇଥିଲା। ୨୫ ତାରିଖ ଦିନ ପୁଲିସ ନାବାଳିକା ସହିତ ପୂର୍ବଦିନ ଡୁକୁରା ବାହାବଙ୍ଗା ପର୍ବରେ ବୁଲୁଥିବା ଖୁଣ୍ଟା ଥାନା ଲକ୍ଷ୍ମଣା ସାହିର ଧୂମା ମୁର୍ମୁ(୨୧)କୁ ଅଟକ ରଖି ପଚରାଉଚରା କରିଥିଲା। ୨୪ ତାରିଖ ରବିବାର ରାତିରେ ପୀଡିତା ଜଣଙ୍କ ସାଙ୍ଗର ଭାଇ ଧୂମା

ସହିତ ତାଙ୍କ ଘର ଲକ୍ଷ୍ମଣା ସାହିକୁ ଯାଉଥିବା ବେଳେ ଅଙ୍ଗାର କୁଣ୍ଡିଆ ନିକଟରେ ଏକାଧିକ ବ୍ୟକ୍ତି ଧୂମାକୁ ମାଡମାରି ଘୋଉଡାଇ ଦେବା ସହିତ ରାତିରେ ନାବାଳିକାକୁ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ବୋଲି ଧୂମା ପୁଲିସକୁ କହିଥିଲା।

ପୁଲିସ ଡକ୍ତରୀ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା କହୁଥିବା ବେଳେ ନାବାଳିକାକୁ ମନ୍ଦ ଉଦେଶ୍ୟରେ ଯୋଜନା କରି ନେଇଯାଉଥିବା ଅଭିଯୋଗରେ ଅଟକର ଦଶ ଦିନ ପରେ ଧୂମା ମୁର୍ମୁକୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରି ଏପ୍ରିଲ ୪ ତାରିଖ ଗୁରୁବାର ଦିନ ପୁଲିସ କୋର୍ଟ ଚାଲାଣ କରିଥିଲା। ଅପରପକ୍ଷେ ପୀଡିତାର ମାଆ ୨୯ତାରିଖ ଦିନ ଖୁଣ୍ଟା ଥାନାରେ ଅଙ୍ଗାରକୁଣ୍ଡିଆ ଗ୍ରାମର ନନ୍ଦୁ ମୁର୍ମୁ(୩୧) ଓ ତାର ସହଯୋଗୀମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିବା ଅଭିଯୁକ୍ତମାନଙ୍କ ପ୍ରତି ପୁଲିସ କୋହଳ ମନୋଭାବ ପ୍ରଦର୍ଶନ କରିଥିବା ଗ୍ରାମବାସୀ ଅଭିଯୋଗ କରି ଏସପିଙ୍କ ଉପସ୍ଥିତି ଦାବି କରିଥିଲେ। ଗୋଟିଏ ପଟେ ପୀଡିତାଙ୍କ ମାଆଙ୍କୁ ପ୍ରଥମରୁ ଏତଲା କପି ଦିଆଯାଇନଥିବା ବେଳେ ପୁଲିସ କହୁଥିବା ଡାକ୍ତରୀ ରିପୋର୍ଟ ଉପରେ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।

ତେବେ ଘଟଣା କ୍ରମେ ପୀଡିତାଙ୍କ ଗ୍ରାମର ଲୋକେ ମୁଖ୍ୟ ଅଭିଯୁକ୍ତ ଓ ତାର ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିଥିବା ବେଳେ ଏକାଧିକ ଗ୍ରାମର ଲୋକେ ମିଳିତ ବୈଠକ କରିଥିଲେ। ପୁଲିସ ଅଭିଯୋଗ ଅନୁସାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ୫ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୫ଟାରେ ଡୁକୁରା ଛକରେ ଟାୟାର ଜାଳି ରାସ୍ତା ରୋକ କରିବା ସହ ମୁଖ୍ୟ ଅଭିଯୁକ୍ତ ନାବାଳିକାର ସମ୍ପର୍କୀୟ ମାମୁଁ ଅଙ୍ଗାର କୁଣ୍ଡିଆ ଗ୍ରାମର ରାଇସେନ ମୁର୍ମୁଙ୍କ ପୁଅ ନନ୍ଦୁ ମୁର୍ମୁ(୩୧)ର ଗିରଫ ଦାବି କରିଥିଲେ ଓ ତଦନ୍ତରେ ଏକାଧିକ ବ୍ୟତିକ୍ରମ ଅଭିଯୋଗ କରି ତଦନ୍ତ ଦାୟିତ୍ୱରୁ ଏସଆଇ ଜୟନ୍ତୀ ମଲ୍ଲିକଙ୍କୁ ହଟାଇବାକୁ ଦାବି କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବାରୁ ଉଦଳାରୁ ଏସଡିପିଓ ସ୍ୱପ୍ନ ରଞ୍ଜନ ମହାପାତ୍ର, ଖୁଣ୍ଟା ଆଇଆଇସି ନବକୃଷ୍ଣ ନାଏକ ପୁଲିସ ବାହିନୀ ସହିତ ପହଞ୍ଚି ଥିଲେ। ରାତି ପ୍ରାୟ ୮ଟାରେ ନନ୍ଦୁକୁ ବଡସାହି ଥାନା ହାତୀବନ୍ଧା ନିକଟରେ ଲୁଚିଥିବା ସ୍ଥାନରୁ ପୁଲିସ ଗିରଫ କରିଥିଲା। ଏସଡିପିଓ ତଦନ୍ତକାରୀ ଅଧିକାରୀଙ୍କୁ ହଟାଇବାକୁ ପ୍ରତିଶୃତି ଦେଇଥିଲେ। ରାତି ୯ଟାରେ ଗ୍ରାମବାସୀମାନେ ରାସ୍ତା ରୋକ ପ୍ରତ୍ୟାହାର କରିନେଇଥିଲେ।

Comments are closed.