ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ମହୁଲ ସଂଗ୍ରହକାରୀ ଶୋଷଣର ଶିକାର; ବେପାରୀ-ଦଲାଲ୍ ମାଲେମାଲ୍
ରେଙ୍ଗାଲି : ଜଙ୍ଗଲ ତଳି ଓ ଜଙ୍ଗଲ ଘେରାରେ ବସବାସ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନଜୀବିକା ନିର୍ବାହ କରିଥାନ୍ତି। ସେମାନଙ୍କ ସାମାଜିକ, ସାଂସ୍କୃତିକ ଜୀବନ ପ୍ରବାହ ସହିତ ଲଘୁବନଜାତ ଦ୍ରବ୍ୟ ଅଙ୍ଗାଅଙ୍ଗୀ ଭାବରେ ଜଡିତ। ଏମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୫/୬ମାସ ପର୍ଯ୍ୟନ୍ତ ଜୀବିକା ନିର୍ବାହ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ୧୦/୧୨ ଘଣ୍ଟା କଠିନ ପରିଶ୍ରମ କରିବାକୁ ପଡିଥାଏ। ସେମାନଙ୍କ ଆୟରୁ ଶତକଡା ୪୦/୫୦ଭାଗ ଏଥିରୁ ହିଁ ଆସିଥାଏ। ଲଘୁବନଜାତ ଦ୍ରବ୍ୟ ମଧ୍ୟରୁ ବିଶେଷତଃ ମହୁଲ ଫୁଲ ସଂଗ୍ରହ ଉପରେ ପ୍ରାୟ ୭୫ଭାଗ ଲୋକ ନିୟୋଜିତ ରହୁଥିବା ଜଣାପଡିଛି। ମହୁଲ ବ୍ୟତୀତ ହରିଡା, ବାହାଡା, କୁସୁମ, ଟୋଳ, ତେନ୍ତୁଲି ମଞ୍ଜି, ଆମ୍ବ ଟାକୁଆ ଆଦି ୬୮ ପ୍ରକାର ଲଘୁବନଜାତ ଦ୍ରବ୍ୟ ଜନଜାତି ସଂପ୍ରଦାୟର ଲୋକେ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ତେବେ କ୍ଷୋଭର ବିଷୟ ଯେ ଲଘୁବନଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଓ ବ୍ୟବସାୟ ନୀତି ପ୍ରଣୟନରେ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସଂଗ୍ରହକାରୀମାନେ ଦଲାଲ ଓ ବେପାରୀମାନଙ୍କ ଦ୍ୱାରା ଶୋଷଣର ଶିକାର ହୋଇ ଜଙ୍ଗଲରୁ ବହୁ କଷ୍ଟରେ ସଂଗ୍ରହ କରି ଆଣୁଥିବା ବନଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇ ପାରୁ ନାହାନ୍ତି। ସରକାର ଧାର୍ଯ୍ୟ କରୁଥିବା ସହାୟକ ମୂଲ୍ୟ କେବଳ କାଗଜ କଲମରେ ହିଁ ସୀମିତ ହୋଇ ରହୁଛି। ତଦାରଖରେ ଉଦାସୀନତା ଯୋଗୁଁ ସହାୟକ ମୂଲ୍ୟକୁ ଆଖି ଠାର ମାରି ବେପାରୀ ଓ ଦଲାଲମାନଙ୍କ ଏକଚାଟିଆ ନୀତିରେ ମହୁଲ ସଂଗ୍ରହ କରୁଛନ୍ତି।
ସଂପ୍ରତି ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ମହୁଲ କେଜି ପ୍ରତି କେଉଁଠି ୨୦ ଟଙ୍କା ତ କେଉଁଠି ୩୦ ଟଙ୍କାରେ କିଣାବିକା ହେଉଥିବା ଜଣାପଡିଛି। ଏଭଳି ସଂଗ୍ରହକାରୀମାନଙ୍କ ଠାରୁ ବେପାରୀ ଓ ଦଲାଲମାନେ ନିଜର ମନଇଚ୍ଛା ଦରରେ ମହୁଲ କିଣି ନେଉଛନ୍ତି। ପଡୋଶୀ ଛତିଶଗଡ ରାଜ୍ୟରେ ମହୁଲ ତେଲକୁ ଡିଜେଲର ବିକଳ୍ପ ରୂପେ ସୌଖିନ ଗାଡି ଚାଳକମାନେ ଚାରି ଚକିଆ ଯାନ ଏପରିକି ମୋଟରସାଇକେଲରେ ୮୦% ଡିଜେଲ ୨୦% ମହୁଲ ତେଳ ବ୍ୟବହାର କରୁଥିବାର ଜଣାପଡିଛି। ଏହାଦ୍ୱାରା ଫୁଏଲ ଏଫିସିଏନ୍ସି ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ଛତିଶଗଡ ସରକାର ମହୁଲରୁ ବାୟୋଡିଜେଲ ପ୍ରସ୍ତୁତ କରିବାକୁ ବିଧିବଦ୍ଧ ଭାବରେ କାମ ଆରମ୍ଭ କରିଛନ୍ତି। ଆମ ରାଜ୍ୟରେ ମହୁଲ ସଂଗ୍ରହ ଏବଂ ଏହାର ପ୍ରକ୍ରିୟାକରଣର ଏଭଳି ଦୟନିୟ ଅବସ୍ଥା ରହିଥିବା ଅତି କ୍ଷୋଭର ବିଷୟ। ଅନ୍ତତଃ ପଡୋଶୀ ଛତିଶଗଡ ରାଜ୍ୟରୁ ଆମ ରାଜ୍ୟ ସରକାର ଶିକ୍ଷାଲାଭ କରି ଫଳପ୍ରସୂ ମହୁଲ ସଂଗ୍ରହ ନୀତି ପ୍ରଣୟନ କରିବା ସହିତ ଏହାର ପ୍ରକ୍ରିୟାକରଣ ବ୍ୟବସ୍ଥା କରି ଧାନ ସଂଗ୍ରହ ଭଳି ନିୟନ୍ତ୍ରିତ ମାର୍କେଟ କମିଟି ଜରିଆରେ ମାର୍କେଟୟାର୍ଡ ମାନଙ୍କରେ ମହୁଲ କିଣାବିକାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି। ଏହାଦ୍ୱାରା ସଂଗ୍ରହକାରୀମାନେ ଉପକୃତ ହେବା ସହିତ ଅଭାବୀ ବିକ୍ରି ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବ ବୋଲି ସଚେତନ ବର୍ଗରେ ମତପ୍ରକାଶ ପାଉଛି।
ଉଲ୍ଲେଖଯୋଗ୍ୟ, ୨୦୦୦ ମସିହା ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର ଏକ ଆଦେଶନାମା ଜାରି କରି ମହୁଲ ସମେତ ୬୮ଟି ଲଘୁବନଜାତ ଦ୍ରବ୍ୟର କ୍ରୟବିକ୍ରୟ ଓ ନିୟନ୍ତ୍ରଣ ତଥା ସଂଗ୍ରହ ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ପଞ୍ଚାୟତ ସମିତି ଉପରେ ନ୍ୟସ୍ତ କରିଛନ୍ତି। ନିୟମ ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପଞ୍ଚାୟତ ସମିତିର ବୈଠକ ବସି ଲଘୁବନଜାତ ଦ୍ରବ୍ୟଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଅଫିସର ନୋଟିସ ବୋର୍ଡରେ ସର୍ବସାଧାରଣଙ୍କ ଗୋଚରାର୍ଥେ ମୂଲ୍ୟ ତାଳିକା ଲେଖାଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିୟମ କେବଳ କାଗଜ କଲମରେ ହିଁ ଅଟକି ଯାଇଛି। ଯଦ୍ୱାରା ଅସାଧୁ ବ୍ୟବସାୟୀ ଏବଂ ଦଲାଲମାନେ ବେଧଡକରେ କମ୍ ମୂଲ୍ୟରେ ମହୁଲ କିଣି ନେଉଛନ୍ତି। ଏସବୁ କାରବାର ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଜ୍ଞାତସାର ରେ ଚାଲିଥିଲେ ମଧ୍ୟ ସେମାନେ ଜାଣି ନ ଜାଣିଲା ଭଳି ହାତବାନ୍ଧି ବସିଥିବାରୁ ସଂଗ୍ରହକାରୀମାନେ ଶୋଷଣର ଶିକାର ହେବାକୁ ବାଧ୍ୟ ହେଉଛନ୍ତି। ସରକାର ୨୦୦୦ ମସିହା ରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ ରହିଛି ଯେ କୌଣସି କ୍ଷେତ୍ର ରେ ଯଦି ପଞ୍ଚାୟତ କର୍ତ୍ତୃପକ୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ନ ଥିବେ ତାହେଲେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ବୈଠକ ଡାକି ମୂଲ୍ୟ ନିର୍ଦ୍ଧାରଣ କରି ପାରିବେ। କିନ୍ତୁ ଏହି ନିର୍ଦ୍ଦେଶ ମଧ୍ୟ ନାଲିଫିତାରେ ବନ୍ଧା ପଡିଛି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ମହୁଲ ତଥା ଅନ୍ୟ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ ନୀତିର ଉପଯୁକ୍ତ ସଂଶୋଧନ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବୀ ହେଉଛି।
Comments are closed.